ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଘର: ଖୋଲା ଆକାଶ ତଳେ ବିପନ୍ନ, କେତେକ ରାଜସ୍ୱ କାର୍ଯ୍ୟାଳୟ ରହିଛି ବନ୍ଦ, ମିଳୁନି ପଲିଥିନ୍ ସହାୟତା
ଜମନକିରା : ଲଗାଣ ବର୍ଷା ଯୋଗୁଁ ଜମନକିରା ବ୍ଲକ ଅଞ୍ଚଳରେ ଚରମ ବିପର୍ଯ୍ୟୟ ଦେଖା ଦେଇଥିବା ବେଳେ ପ୍ରବଳ ବର୍ଷା ପାଣିରେ ଏକାଧିକ ଗରିବ ଓ ଅସହାୟ ପରିବାରର ମୁଣ୍ଡ ଗୁଞ୍ଜିବାର ଏକମାତ୍ର ଆଶ୍ରୟସ୍ଥଳୀ ମାଟିରେ ମିଶିଯାଇଛି। ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଗଣ୍ଡ ପଡ଼ାର ବାସିନ୍ଦା ବିଧବା ପ୍ରେମଲତା ମାଝୀ (୬୦) ଓ କେନାଢ଼ିପା ପଞ୍ଚାୟତ ସଦର ମହକୁମାର ଦିବ୍ୟରାଜ ମାଝୀ (୪୬)ଙ୍କ ସମେତ ବିଭିନ୍ନ ଗ୍ରାମାଞ୍ଚଳର ଅନେକ ନିରୀହ ଲୋକଙ୍କ ଘରଦ୍ୱାର ଭାଙ୍ଗି ଚୂରମାର ହୋଇ ଯାଇଥିବାରୁ ସେମାନେ ଖାଦ୍ୟପେୟ ଓ ଆଶ୍ରୟ ପାଇଁ ଡହଳବିକଳ ହେଉଛନ୍ତି। ଏଭଳି ସ୍ଥିତିରେ ସର୍ବନିମ୍ନ ଆଶ୍ରୟ ପାଇଁ ବିପନ୍ନମାନେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟକୁ ଦୌଡ଼ି ପଲିଥିନ୍ ଖଣ୍ଡିଏ ପାଇଁ ଗୁହାରି କରୁଥିଲେ ହେଁ କେତେକ ଆର୍.ଆଇ. ସର୍କଲରେ କର୍ମଚାରୀଙ୍କ ଅନୁପସ୍ଥିତି ଓ କାର୍ଯ୍ୟାଳୟ ବନ୍ଦ ରହିବା ଯୋଗୁଁ ଲୋକଙ୍କୁ ସାମାନ୍ୟ ପଲିଥିନ୍ ଖଣ୍ଡିଏ ବି ମିଳିପାରୁ ନାହିଁ, ଯାହା ଫଳରେ ବିପନ୍ନମାନେ ବାଧ୍ୟ ହୋଇ ଅନ୍ୟମାନଙ୍କ ଘରେ ଆଶ୍ରୟ ନେଇ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି। ଏତେ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କ୍ଷେତ୍ର ପରିଦର୍ଶନ କିମ୍ବା କ୍ଷୟକ୍ଷତି ଆକଳନ ନହେବା ରାଜସ୍ୱ ବିଭାଗର ଚରମ ଉଦାସୀନତା ଓ ଅବହେଳାକୁ ପଦାରେ ପକାଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ତେଣୁ କ୍ଷତିଗ୍ରସ୍ତ ପରିବାରଗୁଡ଼ି କୁ ତୁରନ୍ତ ପଲିଥିନ୍ ଓ ଶୁଖିଲା ଖାଦ୍ୟ ଯୋଗାଇବା ସହ ସ୍ୱତନ୍ତ୍ର ତଦନ୍ତ ମାଧ୍ୟମରେ କ୍ଷତିପୂରଣ ରାଶି ପ୍ରଦାନ ଏବଂ ସେମାନଙ୍କୁ ସରକାରୀ ଆବାସ ଯୋଜନାରେ ସାମିଲ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଦୃଢ଼ ଦାବି କରିବା ସହ ପ୍ରଶାସନ ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।
ଏସଂକ୍ରାନ୍ତରେ ତହସିଲଦାର ଓ ବିଡିଓ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା। ତେବେ ଉଭୟ ଫୋନ ନଉଠେଇବାରୁ ତାଙ୍କ ମତାମତ ନିଆ ଯାଇ ପାରିନଥିଲା। ପରେ ଜମନକିରା ରାଜସ୍ୱ ନିରୀକ୍ଷକ ବୈକୁଣ୍ଠ ବିଶ୍ୱାଳଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ପଲିଥିନ୍ ମଝିରେ ଶେଷ ହୋଇଯାଇଥିଲା, ମୋ ପାଖରେ ୩ ଶହ ଆବେଦନ ଫର୍ମ ପଡ଼ିଛି, ଯାହାର ବେଶି କ୍ଷତି ହୋଇଛି ତାଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରାଯିବ। ପରେ ସରକାରଙ୍କ ଠୁ କ୍ଷୟକ୍ଷତି ରାଶି ଆସିଲେ ପ୍ରଦାନ କରାଯିବ। କିନ୍ତୁ ବିପନ୍ନଙ୍କ ପାଇଁ କୌଣସି ଖାଦ୍ୟପେୟ ର ବ୍ୟବସ୍ଥା ନଥିବା କଥା କହିଥିଲେ। ପରେ ବିଡିଓ ରବିନ୍ଦ୍ର କୁମାର ସେଠୀ ଫୋନ କରିବାରୁ ତାଙ୍କର ମତାମତ ନିଆଯାଇଥିଲା। ସେ ଆଜି ଉକ୍ତ ମହିଳାଙ୍କ ପାଖକୁ ଯାଇ ପଚାରି ବୁଝିବେ ବୋଲି କହିଥିଲେ।

