Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆବର୍ଜନା ସ୍ଥାନ ପାଲଟିଛି ଜମନକିରା ମୁଖ୍ୟ ଛକ ପୋଖରୀ ଓ କଟା: ପ୍ରଶାସନର ଅବହେଳା ବିରୋଧରେ ତାଲା ପକାଇବାକୁ ଚେତାବନୀ, ଗାର୍ଡୱାଲ ଓ ଡ୍ରେନ୍ ନିର୍ମାଣର ପ୍ରତିଶ୍ରୁତି ଦେଲେ ସରପଞ୍ଚ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମାର ମୁଖ୍ୟ ଛକସ୍ଥିତ ପୋଖରୀ ଓ କଟା ଚାରିକଡ଼ ଏବେ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ଏକ ଗମ୍ଭୀର ପୂତିଗନ୍ଧମୟ ପରିବେଶ ସୃଷ୍ଟି କରିଛି। ସ୍ଥାନୀୟ ବଜାର ଓ ଆଖପାଖ ଅଞ୍ଚଳର ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ୍ ଏବଂ ଅଳିଆ ପୋଖରୀ ଓ କଟା କୂଳରେ ଜମା ହୋଇ ପାହାଡ଼ ସଦୃଶ ହୋଇ ପଡ଼ିଥିବାରୁ ଜଳ ଉତ୍ସ ସମ୍ପୂର୍ଣ୍ଣ ପ୍ରଦୂଷିତ ହେବା ସହ ମଶା-ମାଛିଙ୍କ ଉତ୍ପାତ ବୃଦ୍ଧି ପାଇ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଛି। ପଞ୍ଚାୟତ ନିର୍ବାଚନ ସରିବାର ପ୍ରାୟ ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ହେଁ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ହୋଇପାରିନାହିଁ। ସ୍ଥାନୀୟ ଲୋକେ ବାରମ୍ବାର ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ବ୍ୟତୀତ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ପ୍ରଶାସନର ଏଭଳି ଚରମ ଉଦାସୀନତା ଯୋଗୁଁ ସ୍ଥାନୀୟ ବାସିନ୍ଦା ଏବଂ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସ୍ଥାୟୀ ପ୍ରତିକାର କରାନଗଲେ ଆଗାମୀ ଦିନରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିବେ ବୋଲି ସ୍ଥାନୀୟ ଲୋକେ ରୋକଠୋକ୍ ଚେତାବନୀ ଦେଇଛନ୍ତି।
ଏହି ଗମ୍ଭୀର ସମସ୍ୟା ସମ୍ପର୍କରେ ଜମନକିରା ପଞ୍ଚାୟତ ସରପଞ୍ଚ ଯାଜ୍ଞସିନୀ ନାଏକଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ କହିଛନ୍ତି ଯେ, ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯୋଜନା ପ୍ରସ୍ତୁତ ରହିଛି। ନିଜର କାର୍ଯ୍ୟକାଳ (ଟର୍ମ) ସରିବା ପୂର୍ବରୁ ପୋଖରୀ ଚାରିକଡ଼େ ଗାର୍ଡୱାଲ ନିର୍ମାଣ କରାଯିବା ସହ ପାଣି ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନ୍ (ନାଳି) ତିଆରି କରି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ସେ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।
ବର୍ତ୍ତମାନ ଦେଖିବାକୁ ବାକି ରହିଲା, ସରପଞ୍ଚଙ୍କ ଏହି ପ୍ରତିଶ୍ରୁତି କେତେ ଶୀଘ୍ର ବାସ୍ତବତାର ରୂପ ନେଉଛି ନା ସ୍ଥାନୀୟ ବାସିନ୍ଦାଙ୍କୁ ତାଲାବନ୍ଦ ଭଳି ଚରମ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories