ଜମନକିରା ବ୍ଲକରେ ଚାଷୀ ପଞ୍ଜୀକରଣ ଚରମ ସୀମାରେ: ଦିନରାତି ଖଟି ବି ବିଫଳ କର୍ମଚାରୀ, ୩୧ ଅଗଷ୍ଟ ସୁଦ୍ଧା ଅଧାରୁ ଅଧିକ ବାଦ୍ ପଡ଼ିବା ଆଶଙ୍କା, ସେପ୍ଟେମ୍ବର ୧୫ ଯାଏଁ ସମୟସୀମା ବୃଦ୍ଧି ଦାବି
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରେ ଖରିଫ ଧାନ ବିକ୍ରୟ ପାଇଁ ଚାଲିଥିବା ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଏବେ ବ୍ୟାପକ ସମସ୍ୟା ଓ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ସରକାରୀ ନିୟମାନୁଯାୟୀ ଆସନ୍ତା ଅଗଷ୍ଟ ୩୧ ତାରିଖ ସୁଦ୍ଧା ପଞ୍ଜୀକରଣ ସାରିବାକୁ ଧାର୍ଯ୍ୟ ହୋଇଥିବା ବେଳେ, ବର୍ତ୍ତମାନର ମନ୍ଥର ଗତି ଯୋଗୁଁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମସ୍ତ ଚାଷୀ ପଞ୍ଜୀକୃତ ହେବା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡ଼ିଛି। ଦିନରାତି ଏକ କରୁଛନ୍ତି କର୍ମଚାରୀ, ହେଲେ ସର୍ଭର ବାଧକ ପଞ୍ଜୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଲ୍ୟାମ୍ପସ କର୍ମଚାରୀମାନେ ଦିନରାତି ଏକ କରି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ମାତ୍ର ବାରମ୍ବାର ସର୍ଭର ଡାଉନ୍, ନେଟୱାର୍କ ଲିଙ୍କ୍ ଫେଲ୍ୟୁଅର ଏବଂ ଧୀମା ଇଣ୍ଟରନେଟ୍ ସେବା ଯୋଗୁଁ ୱେବସାଇଟ୍ ସଠିକ୍ ଭାବେ ନ ଖୋଲିବାରୁ ସେମାନଙ୍କ ସମସ୍ତ ପ୍ରଚେଷ୍ଟା ବିଫଳ ସାବ୍ୟସ୍ତ ହେଉଛି। ସର୍ଭର ଜନିତ ଏହି ଗମ୍ଭୀର ସମସ୍ୟା କାରଣରୁ କାର୍ଯ୍ୟ ସ୍ୱାଭାବିକ ଭାବେ ଆଗେଇ ପାରୁନାହିଁ ବୋଲି ସ୍ଥାନୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ସ୍ୱୀକାର କରିଛନ୍ତି। ଲ୍ୟାମ୍ପସୱାରୀ ପଞ୍ଜୀକରଣ ସ୍ଥିତି (ତଥ୍ୟ ଭିତ୍ତିକ ରିପୋର୍ଟ) ଅନୁଯାଇ, ଜମନକିରା ବ୍ଲକ ଅଧୀନରେ ଥିବା ତିନୋଟି ପ୍ରମୁଖ ଲ୍ୟାମ୍ପସରେ ମୋଟ ୯,୭୩୧ ଜଣ ଚାଷୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୪,୦୬୫ ଜଣ (ପ୍ରାୟ ୪୧.୭%) ପଞ୍ଜୀକୃତ ହୋଇ ପାରିଛନ୍ତି। ଫାଶିମାଲ ଲ୍ୟାମ୍ପସ: ମୋଟ ଚାଷୀ ୩,୫୭୧ | ପଞ୍ଜୀକୃତ: ୧,୬୬୬ (୪୬.୭%) | ଦୈନିକ ହାରାହାରି: ୨୪୩। ଜମନକିରା ଲ୍ୟାମ୍ପସ: ମୋଟ ଚାଷୀ ୩,୪୬୫ | ପଞ୍ଜୀକୃତ: ୧,୩୪୨ (୩୮.୭%) | ଦୈନିକ ହାରାହାରି: ୧୯୬। କୁଲୁଣ୍ଡି ଲ୍ୟାମ୍ପସ: ମୋଟ ଚାଷୀ ୨,୬୯୫ | ପଞ୍ଜୀକୃତ: ୧,୦୫୭ (୩୯.୨%) | ଦୈନିକ ହାରାହାରି: ୯୪। ବାକି ୬ ଦିନର ବାସ୍ତବ ଆକଳନ ପଞ୍ଜୀକରଣ ଶେଷ ହେବାକୁ ହାତରେ ଆଉ ମାତ୍ର ୬ ଦିନ ବାକି ରହିଛି। ବର୍ତ୍ତମାନର ଦୈନିକ ଅପଲୋଡ୍ ଗତି ଅନୁସାରେ ଆଗାମୀ ୬ ଦିନରେ: ଫାଶିମାଲରେ ସର୍ବାଧିକ ୧,୪୫୮, ଜମନକିରାରେ ୧,୧୭୬, କୁଲୁଣ୍ଡିରେ ମାତ୍ର ୫୬୪। ଏହି ହିସାବରେ ଆଗାମୀ ୬ ଦିନରେ ଆଉ ପ୍ରାୟ ୩,୧୯୮ ଜଣ ଚାଷୀ ହିଁ ଯୋଡ଼ି ହୋଇ ପାରିବେ ବୋଲି ଆକଳନ ରୁ ଆଶା କରାଯାଉଛି। ଫଳସ୍ୱରୂପ, ଧାର୍ଯ୍ୟ ଅଗଷ୍ଟ ୩୧ ତାରିଖ ସୁଦ୍ଧା ବ୍ଲକର ପ୍ରାୟ ୨,୫୦୦ରୁ ଅଧିକ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିବା ନିଶ୍ଚିତ ହୋଇଛି। ୭ଟି ୟୁଜର ଆଇଡି ଓ ଚାଷୀଙ୍କ ହତାଶା ବଢୁଛି। ଏହି ତିନୋଟି ବୃହତ ଲ୍ୟାମ୍ପସ ପାଇଁ ମାତ୍ର ୭ଟି ୟୁଜର ଆଇଡି ଯୋଗାଇ ଦିଆଯାଇଥିବାରୁ ସମସ୍ୟା ଆହୁରି ଜଟିଳ ହୋଇଛି। ପ୍ରତିଦିନ ସକାଳୁ ରାତ୍ର ୨ ଟା ପର୍ଯ୍ୟନ୍ତ ଶହ ଶହ ପୁରୁଷ ଓ ମହିଳା ଚାଷୀ କାଗଜପତ୍ର ଧରି ଲମ୍ବା ଲାଇନରେ ଛିଡ଼ା ହୋଇ ନିରାଶ ହୋଇ ଫେରୁଛନ୍ତି। ଗତ ୮ ତାରିଖ ୧୯ ଦିନ ହେଲା ମାତ୍ର ୪୫ ପ୍ରତିଶତ ଚାଷୀଙ୍କ ପଞ୍ଜୀକୃତ ହୋଇ ପାରିଛି। ହେଲେ ବାକି ୬ ଦିନରେ କ’ଣ ୫୫ ପ୍ରତିଶତ ହୋଇ ପାରିବ କି, ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି। ସମୟସୀମା ବୃଦ୍ଧି ନହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ପଞ୍ଜୀକରଣ ନହେଲେ ଚାଷୀମାନେ ସରକାରୀ ମଣ୍ଡିରେ ଧାନ ବିକ୍ରି କରିବା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେବେ। ଏଣୁ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ପଞ୍ଜୀକରଣ ଅବଧିକୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରନ୍ତୁ। ଏଥିସହ ଅତିରିକ୍ତ ଅପରେଟର, ନୂତନ ୟୁଜର ଆଇଡି ଏବଂ ସର୍ଭର ସମସ୍ୟାର ସ୍ଥାୟୀ ସମାଧାନ କରନ୍ତୁ। ଧାର୍ଯ୍ୟ ସମୟ ସୀମା ବୃଦ୍ଧି କରା ନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚାଷୀ ସମୂହ ଚେତାବନୀ ଦେଇଛନ୍ତି।
ଏସଂକ୍ରାନ୍ତରେ କୁଚିଣ୍ଡା ଏଆରସିଏସ ରବି ଶଙ୍କର ଭିତିରିଆ ଙ୍କୁ ଯୋଗାଯୋଗ କରି ପଚାରିବାରୁ, ସର୍ଭର ଯଦି ଠିକରେ ଚାଲିବ, ଆମ୍ଭେ ଅଧିକ କର୍ମଚାରୀ ନିଯୁକ୍ତି କରି ରାତି ଦିନ କାମ କରି ଧାର୍ଯ୍ୟ ତାରିଖ ଭିତରେ ଶେଷ କରିଦେଇ ପାରିବୁ ବୋଲି କହିଥିଲେ।

