Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାୟଗଡ଼ାରୁ ୭ କୁଖ୍ୟାତ ଡକାୟତଙ୍କୁ ଧରିଲା ବଲାଙ୍ଗୀର ପୁଲିସ ।

ବଲାଙ୍ଗୀର,୨୮।୮: ବଲାଙ୍ଗୀର ପୁଲିସ ରାୟଗଡ଼ାରୁ ୭ ଜଣ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି। ଏମାନେ ହେଲେ ଈଶ୍ବର ନାୟକ (୨୪), ତ୍ରିଲୋଚନ ବାଗ (୨୫), ହରିଶ୍ଚନ୍ଦ୍ର ନାୟକ (୨୪), ସୁକାନ୍ତ ବାଗ (୨୮), ବରବିଲ ନାୟକ (୧୬), ନନ୍ଦଲୋଣ୍ଡା ପାଣି (୩୫) ଓ ନବୀନ ମାଝୀ (୨୪)। ଏମାନଙ୍କ ଭିତରୁ ଗିରଫ ୬ ଅଭିଯୁକ୍ତ ରାୟଗଡ଼ା ଜିଲ୍ଲାର ହୋଇଥିବା ବେଳେ ଜଣେ କଳାହାଣ୍ଡି ଜିଲ୍ଲାର। ଏମାନଙ୍କ ପାଖରୁ ପୁଲିସ ପ୍ରାୟ ୨ କେଜି ସୁନା ଗହଣା, ୨୫ କେଜି ରୂପା ସାମଗ୍ରୀ ଓ ୧୦ ଲକ୍ଷ ନଗଦ ଟଙ୍କା ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଗହଣା ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ହେବ। ଏମାନଙ୍କ ନାଁରେ ବିଭିନ୍ନ ଜିଲ୍ଲାରେ ଏକାଧିକ ମାମଲା ରହିଛି।
ଗତ ୨୩ ତାରିଖରେ ସିନ୍ଧେକେଲା ଥାନାରୁ ମାତ୍ର କିଛି ମିଟର ଦୂରରେ ଥିବା ସୁନା ଗହଣା ବ୍ୟବସାୟୀ ପୁଲିନ୍ଧର ଜୈନଙ୍କ ଘରେ କିଛି ଡକାୟତ ପଶି ଡକାୟତି କରିଥିଲେ। ସେ ଓ ତାଙ୍କ ସ୍ତ୍ରୀ ଘରେ ନଥିବା ବେଳେ ପରିବାରର ଅନ୍ୟ ମାନଙ୍କୁ ମାରଣାସ୍ତ୍ର ଦେଖାଇ ଘରେ ଥିବା ସୁନାଗହଣା ଓ ନଗଦ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ। ପ୍ରାୟ ୧ କୋଟିରୁ ଅଧିକ ମୂଲ୍ୟର ସାମଗ୍ରୀ ଡକାୟତି ହୋଇଥିବା ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ପରେ ସିନ୍ଧେକେଲାସ୍ଥିତ ମା’ ଦ୍ୱାରସେନୀ ମନ୍ଦିରରେ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାର ଛାନଭିନ୍ ପାଇଁ ଟିତିଲାଗଡ଼ ଏସ୍‌ପିଓ ଯଶୋବନ୍ତ ପ୍ରଧାନଙ୍କ ନେତୃତ୍ବରେ ୫ଟି ଟିମ୍ ଗଠନ କରାଯାଇଥିଲା। ଏଥିରେ ସିନ୍ଧେକେଲା ଥାନାଧିକାରୀ ଫୁଲଜେନ୍ସ ଲାକ୍ରା, ଟିଟିଲାଗଡ଼ ଥାନା ଅଧିକାରୀ ମନୋଜ ମୁଣ୍ଡା, ଆଇଆଇସି ଖଗପତି ବିଶ୍ବାଳ, ଇନ୍ସପେକ୍ଟର ଫିରୋଜ ଏକ୍କା, ଏସଆଇ କିରନ ଯାନୀ, ଏଏସଆଇ ବୈକୁଣ୍ଠ ଦେହୁରୀ ସାମିଲ ହୋଇଥିଲେ। ଏହି ଟିମ୍ ସୁରାକ ପାଇ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏମାନଙ୍କୁ ଗିରଫ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଅଭିଲାଷ ଜୀ ଏହା ପ୍ରକାଶ କରିଛନ୍ତି। ଏହି ଗ୍ୟାଙ୍ଗକୁ ଧରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ଏହି ଅପରେସନକୁ ସଫଳ କରିଥିବା ପୁଲିସ ଅଧିକାରୀମାନଙ୍କୁ ଏସ୍‌ପି ପ୍ରଶଂସା କରିଛନ୍ତି।
ଏମାନେ କିଭଳି ଷଡ଼ଯନ୍ତ୍ର କରି ସଫଳତାର ସହ କାମ ସାରି ଫେରାର ହେଉଥିଲେ ତାହା ମଧ୍ୟ ଏସ୍‌ପି ସୂଚନା ଦେଇଛନ୍ତି। ପ୍ରଥମେ କିଛି ଦିନ ଧରି ଏମାନେ ବଲାଙ୍ଗୀର, କଳାହାଣ୍ଡି ସୀମାରେ ଥିବା ଏହିଭଳି ବ୍ୟବସାୟୀଙ୍କୁ ଟାର୍ଗେଟ୍ କରୁଥିଲେ। ୨/୩ ଦିନ ଧରି ବାଇକ୍‌ରେ ବୁଲି ସବୁ ନିରୀକ୍ଷଣ କରୁଥିଲେ। କିଭଳି, କେତେବେଳେ, କେଉଁବାଟେ ଘରକୁ ପଶି ଲୁଟ୍ କରିବେ ତାହା ଯୋଜନା କରି ନେଉଥିଲେ। ପରେ ସମସ୍ତେ ବୋଲେରୋରେ ଏକାଠି ଆସି ଘରେ ପଶୁଥିଲେ ଆଉ ଡକାୟତି କରୁଥିଲେ।
ଏମାନେ ସୀମାବର୍ତ୍ତୀ ଅଞ୍ଚଳରେ ବୁଲି ବୁଲି ପ୍ରଥମେ ଟାର୍ଗେଟ୍ କରୁଥିଲେ। ଡକାୟତି କରିବା ପରେ ଆଖପାଖ ଜଙ୍ଗଲକୁ ଫେରାର ହୋଇଯାଉଥିଲେ। ଲୁଟ୍ ଜିନିଷ ସୀମା ଡେଇଁ ଅପହଞ୍ଚ ଗାଁକୁ ପଳାଉଥିଲେ। ସେଠାରେ ଡକାୟତି ସାମଗ୍ରୀ ଓ ଟଙ୍କାକୁ ସମାନ ଭାଗ କରି ଲୁଚାଇ ରଖୁଥିଲେ। କିଏ ମାଟି ତଳେ ତ କିଏ ଘର କାନ୍ଥ ଭିତରେ ତ ଆଉ କିଏ ସାଉଣ୍ଡ ବକ୍ସ ଭିତରେ ଏ ସବୁ ଲୁଚାଇ ରଖୁଥିଲେ। କିଏ ଘର ସ୍କାଏ ଲାଇଟ୍‌ରେ ଚୋରା ଟଙ୍କା ଓ ଗହଣା ରଖି ସିଲ୍ କରି ଦେଉଥିଲା। ଏହା ଦେଖି ପୁଲିସ ଆଶ୍ଚର୍ଯ୍ୟ ହୋଇଛି।
ପୁଲିସ ପାଇଁ ଏବେ ସବୁଠାରୁ ମୁଣ୍ଡବ୍ୟଥାର କାରଣ ଏହି ସାମଗ୍ରୀ ଫେରାଇବା କେମିତି? ଡକାୟତର ଶିକାର ହୋଇଥିବା ବ୍ୟବସାୟୀ ଜଣକ ରିପୋର୍ଟରେ ଦର୍ଶାଇଥିବା ପରିମାଣ ଯଦି ଠିକ୍ ଉଦ୍ଧାର ସାମଗ୍ରୀରେ ଅନ୍ୟ ମାମଲାର ମଧ୍ୟ ଜିନିଷ ରହିଛି। ବ୍ୟବସାୟୀଙ୍କ ପାଖରେ ସମସ୍ତ ସୁନା ଗହଣା ଓ ଟଙ୍କାର ପ୍ରମାଣ ରହିଛି ତ ତାହା ମଧ୍ୟ ଏକ ପ୍ରଶ୍ନ। ମନ୍ଦିରରୁ ଚୋରି ସାମଗ୍ରୀ କିଛି ବିକ୍ରି ହୋଇଥିବା ଏସ୍‌ପି କହିଛନ୍ତି। ତେବେ ମନ୍ଦିରର କେତେ ଜିନିଷ ଉଦ୍ଧାର ହୋଇଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories