Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରସିଦ୍ଧ ସୁବଳୟା ଝୁଲଣ ଯାତ୍ରା ହଜାର ହଜାର ଦର୍ଶକ ଙ୍କ ଗହଳି ଭିତରେ ସମାପିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟାରେ ଶ୍ରୀଶ୍ରୀ ରାଧାକୃଷ୍ଣଙ୍କ ପବିତ୍ର ଝୁଲଣ ଯାତ୍ରା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଅଞ୍ଚଳର ଅନ୍ୟତମ ସବୁଠୁ ପୁରାତନ ଯାତ୍ରା ଭାବେ ପରିଚିତ ଏହି ଝୁଲଣ ଯାତ୍ରା କେଉଁ ଆବହମାନ କାଳରୁ ସୁବଳୟାରେ ପାଳିତ ହୋଇଆସୁଛି। ଶତାଧିକ ବର୍ଷର ଏହି ପୁରାତନ ଉତ୍ସବକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ପରମ୍ପରା ଅନୁଯାୟୀ ଶ୍ରାବଣ ଶୁକ୍ଳପକ୍ଷ ଦଶମୀଠାରୁ ଏହି ଝୁଲଣ ଯାତ୍ରା ଆରମ୍ଭ ହୋଇ ପୂର୍ଣ୍ଣିମା ତିଥିରେ ସମାପନ ହୋଇଥାଏ । ଏହି ଅବସରରେ ଶ୍ରୀଶ୍ରୀ ରାଧାକୃଷ୍ଣଙ୍କ ବିଗ୍ରହଙ୍କୁ ମନ୍ଦିରରୁ ବାହାର କରାଯାଇ ସୁସଜ୍ଜିତ ଝୁଲଣରେ ବିରାଜମାନ କରାଯାଇଥିଲl । ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ସନ୍ଧ୍ୟା ଆଳତି ଓ ଶ୍ରୀଶ୍ରୀ ରାଧାକୃଷ୍ଣଙ୍କ ସାନ୍ଧ୍ୟ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଥିଲା। ବିଭିନ୍ନ ସ୍ଥାନରେ ଭଜନ, କୀର୍ତ୍ତନ ଓ ଅନ୍ୟାନ୍ୟ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।
ଚଳିତ ବର୍ଷ ସୁବଳୟାର ବୀର ବଜରଙ୍ଗ କ୍ଲବ୍ (ବଡ଼ଦାଣ୍ଡ), ଶ୍ରୀରାମଚନ୍ଦ୍ର କ୍ଲବ୍ (ସାନଦାଣ୍ଡ), ଭାଗବତ କ୍ଲବ୍ (ଗଡ଼ଭିତର), ଶ୍ରୀଶ୍ରୀ ବାବା ଅବଧୂତ ସାଂସ୍କୃତିକ ସଂଘ (ଧୀବରପଡ଼ା), ବଳଦେବ କ୍ଲବ୍, ରାଧାକୃଷ୍ଣ ମନ୍ଦିର, ପୂର୍ଣ୍ଣମାସୀ କ୍ଲବ୍, ସତସଙ୍ଗ ସୁବଳୟା ଓ ରାମଜୀ କ୍ଲବ୍ (ବୌଦିଆପଡ଼ା)ରେ ଶ୍ରୀଶ୍ରୀ ରାଧାକୃଷ୍ଣଙ୍କ ଝୁଲଣ ଉତ୍ସବ ପାଳିତ ହୋଇଥିଲା।
ତେବେ ସତସଙ୍ଗ ସୁବଳୟା ଓ ରାମଜୀ କ୍ଲବ୍ (ବୌଦିଆପଡ଼ା) ପକ୍ଷରୁ ଝୁଲଣ ମେଢ଼ ଶୋଭାଯାତ୍ରା ବାହାରିନଥିବା ବେଳେ କେବଳ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଅନ୍ୟପକ୍ଷରେ ବାକି ୭ଟି ସ୍ଥାନରୁ ଶନିବାର ସକାଳ ପ୍ରାୟ ୫ଟାରୁ ସୁସଜ୍ଜିତ ଝୁଲଣ ମେଢ଼ଗୁଡ଼ିକ ପର୍ଯ୍ୟାୟକ୍ରମେ ବାହାରି ସୁବଳୟା ନଗର ପରିକ୍ରମା କରିଥିଲା।
ଶୋଭାଯାତ୍ରାରେ ପ୍ରତ୍ୟେକ କ୍ଲବ୍ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ଓଡ଼ିଶା ସମେତ ରାଜ୍ୟ ବାହାରର ବିଭିନ୍ନ ଲୋକପ୍ରିୟ ସଙ୍କୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ। ଛତିଶଗଡ଼ ସମେତ ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଆଦି ବିଭିନ୍ନ ଅଞ୍ଚଳରୁ ଆସିଥିବା ସଙ୍କୀର୍ତ୍ତନ ଦଳଗୁଡ଼ିକ ଶୋଭାଯାତ୍ରାରେ ସାମିଲ ହୋଇ ନିଜ ନିଜ କଳା ପରିବେଷଣ କରିଥିଲେ। ସଙ୍କୀର୍ତ୍ତନ ଓ ଭଜନର ଧ୍ୱନିରେ ସମଗ୍ର ସୁବଳୟା ଅଞ୍ଚଳ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା।ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ମେଢ଼ଗୁଡ଼ିକ ସୁବଳୟା ନଗର ପରିକ୍ରମା କରିବା ପରେ ନିଜ ନିଜ ମନ୍ଦିରକୁ ପ୍ରବେଶ କରିଥିଲେ। ଏହି ଐତିହ୍ୟବାହୀ ଝୁଲଣ ଯାତ୍ରାକୁ ଦେଖିବା ପାଇଁ ପ୍ରାୟ ୫୦ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ଝୁଲଣ ଯାତ୍ରାର ସୁଚାରୁ ପରିଚାଳନା ପାଇଁ ପ୍ରତ୍ୟେକ କ୍ଲବ୍ ପକ୍ଷରୁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିବା ବେଳେ ସଦସ୍ୟମାନେ ଉତ୍ସବର ତଦାରଖ କରିଥିଲେ। ସୁବଳୟା ପୁଲିସ ପକ୍ଷରୁ ମଧ୍ୟ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା।
ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ଶ୍ରଦ୍ଧାଳୁ ଓ ଦର୍ଶକମାନେ ଉତ୍ସବକୁ ଭରପୂର ଉପଭୋଗ କରିଥିଲେ । କେବଳ ସୁବଳୟାରେ ଆବହମାନ କାଳରୁ ଏଭଳି ପରମ୍ପରାଗତ ଝୁଲଣ ଯାତ୍ରା ପାଳିତ ହୋଇଆସୁଥିବାରୁ ଏହାର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଏହି ଐତିହ୍ୟବାହୀ ଉତ୍ସବକୁ ଦେଖିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ପଡ଼ୋଶୀ ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର ଓ ଅନୁଗୁଳ ଆଦି ଜିଲ୍ଲାରୁ ମଧ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲl

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ