କ’ଣ ଇଲେକ୍ଟ୍ରିକ ଇଣ୍ଟରକଲିଂ ସିଷ୍ଟମରେ ଟାମ୍ପରିଂ ହୋଇଛି ? ଘଟଣାସ୍ଥଳରେ ସିବିଆଇର ତଦନ୍ତ ଆରମ୍ଭ


ବାଲେଶ୍ଵର: କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ(ସିବିଆଇ) ବାଲେଶ୍ଵରର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। ସିବିଆଇର ୧୦ ଜଣିଆ ଟିମ୍ ବାହାନଗା ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ଫରେନସିକ ଟିମ୍ ସହ ପହଞ୍ଚି ସିବିଆଇ ତଦନ୍ତ ଆରମ୍ଭ କରିଛି। ଏହି ଭୟାନକ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୦୭ ଜଣ ଆହତ ହୋଇଛନ୍ତି। ଏଥିରୁ ୧୦୦୯ ଜଣ ହସ୍ପିଟାଲରୁ ଡିସଚାର୍ଜ ହେଲେଣି। ମୃତକଙ୍କ ମଧ୍ୟରୁ ୧୦୦ରୁ ଅଧିକ ଶବର ଚିହ୍ନଟ ବାକି ରହିଛି।

ବାହାନଗା ଷ୍ଟେସନର ସିଗନାଲ ରୁମରେ ଖୋଳତାଡ଼ କରିବା ସହ କର୍ମଚାରୀଙ୍କ ସହ ସିବିଆଇ ଟିମ୍ ଆଲୋଚନା କରିଛନ୍ତି। ଏଥିସହ ଷ୍ଟେସନ ମାଷ୍ଟରଙ୍କ ଅଫିସରେ ମଧ୍ୟ ଯାଞ୍ଚ କରାଯାଇଛି। ଲୁପ୍ ଲାଇନ୍ ଏବଂ ମେନଲାଇନରେ ବି ସିବିଆଇ ଟିମ୍ ତଦନ୍ତ କରିଛନ୍ତି। ଉଲ୍ଲେଖନୀୟ ରବିବାର ରେଲଓ୍ଵେ ଏହି ଦୁର୍ଘଟଣାର ତଦନ୍ତ ପାଇଁ ସିବିଆଇକୁ ସୁପାରିସ୍ କରିଥିଲା। ଦକ୍ଷିଣ ପୂର୍ବ ରେଲଓ୍ଵେ ସିପିଆରଓ କହିଛନ୍ତି ବାହାନଗା ଟ୍ରେନ ଟ୍ରାଜେଡିର ସବୁ ଦିଗରୁ ତଦନ୍ତ ହେବ। ସିବିଆଇ ତଥ୍ୟ ସଂଗ୍ରହ କରି ତଦନ୍ତ କରୁଛି। ତଦନ୍ତରେ ରେଲଓ୍ଵେ ସମସ୍ତ ସହଯୋଗ କରୁଛି।

କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଦୁର୍ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ଉପରେ ପ୍ରଶ୍ନ ଉଠାଇଛି। ତେବେ ଅଧିକାରୀଙ୍କ କହିବା କଥା ପ୍ରାରମ୍ଭିକ ତଦନ୍ତରୁ ପ୍ରମାଣ ମିଳିଛି ଯେ, ସିଷ୍ଟମରେ ଜାଣିଶୁଣି ଟାମ୍ପରିଂ କରାଯାଇଛି। ଏଥିପାଇଁ ପେଶାଦାର ଏଜେନ୍ସି ଦ୍ଵାରା ତଦନ୍ତ କରାଇବାକୁ ନିଷ୍ପତ୍ତି ହୋଇଛି। ରେଲଓ୍ଵେ ଅଧିକାରୀ ପ୍ରଥମରୁ ଟ୍ରାକରେ ଭଙ୍ଗାରୁଜା ଏବଂ ଇଲେକ୍ଟ୍ରିକ ଇଣ୍ଟରକଲିଂ ସିଷ୍ଟମରେ ଟାମ୍ପରିଂ ହୋଇଥିବା ଆଶଙ୍କା ପ୍ରକାଶ କରିଥିଲେ।