କାମରେ ଲାଗୁନି ସ୍ଵଚ୍ଛ ଭାରତ ମିଶନର ଆବର୍ଜନା କୁଣ୍ଡ
ବୀରମହାରାଜପୁର : ବୀରମହାରାଜପୁର ବ୍ଳକର ବିଭିନ୍ନ ପଞ୍ଚାୟତରେ ସ୍ବଚ୍ଛ ଭାରତ ମିଶନ ତରଫରୁ ନିର୍ମାଣ କରାଯାଇଥିବା ଆବର୍ଜନା କୁଣ୍ଡ କାମରେ ଲାଗୁନି। ସଚେତନତା ଅଭାବରୁ ଗ୍ରାମାଞ୍ଚଳରେ ତିଆରି ହୋଇଥିବା ଆବର୍ଜନା କୁଣ୍ଡ ଗୁଡ଼ିକୁ ଲୋକେ ବ୍ୟବହାର କରୁନାହାନ୍ତି। ସୂଚନା ଅନୁଯାୟୀ, ଗାଁ ପରିମଳକୁ ସଫାସୁତୁରା ରଖିବା ପାଇଁ ସରକାର ସ୍ବଚ୍ଛ ଭାରତ ମିଶନ ତରଫରୁ ଗାଁର ବିଭିନ୍ନ ଛକ , ବଜାର , ଜନଗହଳି ସ୍ଥାନଗୁଡ଼ିକରେ ୨୫ହଜାର ଟଙ୍କା ବ୍ୟୟରେ ଗୋଟିଏ ଲେଖାଏଁ ଆବର୍ଜନା କୁଣ୍ଡ ଗୃହ ନିର୍ମାଣ କରିଛନ୍ତି । ଗାଁର ଯାବତୀୟ ଆବର୍ଜନା ଏହି ଆବର୍ଜନା କୁଣ୍ଡ ଗୃହରେ ପକାଇଲେ ଏହାକୁ ପୁଣି ସଫେଇ କରାଯାଇ ଗାଁ ପରିମଳ ସୁସ୍ଥ ରଖିବା ସରକାରଙ୍କ ମୂଳ ଲକ୍ଷ୍ୟ ରହିଛି | କିନ୍ତୁ ଗ୍ରାମାଞ୍ଚଳବାସୀ ଏହି ଆବର୍ଜନା କୁଣ୍ଡର ବ୍ୟବହାର ସଂପର୍କରେ ଅବଗତ ନଥିବାରୁ ଆବର୍ଜନା ପୂର୍ବ ଭଳି ଗାଁର ପ୍ରମୁଖ ଛକ, ବଜାର ଓ ଜନଗହଳି ସ୍ଥାନରେ ପକାଉଛନ୍ତି । ଫଳରେ ଗାଁ ପରିବେଶ ଅପରିଷ୍କାର ହେଉଛି। ଜନଗହଳି ସ୍ଥାନ ଗୁଡ଼ିକରେ କୁଢ଼କୁଢ଼ ଆବର୍ଜନା ପଡ଼ି ରହିବାରୁ ପଚି ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ମଶାମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ଏହାଦ୍ବାରା ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ୨୫ ହଜାର ଟଙ୍କା ବ୍ୟୟରେ ନିର୍ମିତ ଆବର୍ଜନା କୁଣ୍ଡ ବ୍ୟବହାର ଲୋକେ ଜାଣିପାରୁନଥିବା ବେଳେ ଦୃର୍ବୃତ୍ତମାନେ ଏହାର ଆଜବେଷ୍ଟସ ଓ ଲୁହା ଆଦି ଚୋରି କରି ନେଉଥିବା ଦେଖିବାକୁ ମିଳିଛି। ଅଳ୍ପ କିଛି ଆବର୍ଜନା ଆବର୍ଜନା କୁଣ୍ଡ ଗୃହରେ ଆବର୍ଜନା ପକା ଯାଉଥିବା ବେଳେ ତାହାକୁ ପଞ୍ଚାୟତ ତରଫରୁ ବହୁ ଦିନ ଧରି ସଫେଇ କରାଯାଉନି। ବ୍ଲକ ର ବିଭିନ୍ନ ପଞ୍ଚାୟତରେ ଅନାବଶ୍ୟକ ସ୍ଥାନରେ ଆବର୍ଜନା କୁଣ୍ଡ ଗୃହ ନିର୍ମାଣ କରାଯାଇଥିବା ବେଳେ ଆବର୍ଜନା ତଥା ଶୁଖିଲା ଓଳିଆ ଫୋପାଡ଼ିବା ତିନିଚକିଆ ସାଇକେଲକୁ ବ୍ୟବହାର ନ କରି ପଂଚାୟତ ଅଫିସରେ ପଡ଼ିରହିଛି । ତୁରନ୍ତ ଏ ଦିଗରେ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

