Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଡ଼ି ନ ଦେବାରୁ କୁରାଢ଼ୀରେ ହାଣି ବୃଦ୍ଧଙ୍କୁ ନୃଶଂସ ହତ୍ୟା: ଅଭିଯୁକ୍ତ ଗିରଫ

ଜମନକିରା : ବାଡ଼ି ଖଣ୍ଡିଏ ନ ଦେବାରୁ ବୃଦ୍ଧଙ୍କୁ ବାଡ଼ି ଓ କୁରାଢ଼ୀ (ବାର୍ସି)ରେ ଆକ୍ରମଣ କରି ନୃଶଂସ ଭାବେ ହତ୍ୟା କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡପୋଷ ଫାଣ୍ଡି ଅଧୀନ ମାସନିକାନି ଗ୍ରାମରେ ଘଟିଛି। ମୃତକ ହେଲେ ମାସନିକାନି ଗ୍ରାମର ଚାର୍ଲସ ଲୁଗୁନ (୫୮)। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପାତ୍ରାସ ଡାଙ୍ଗ (୫୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଘଟଣାରୁ ପ୍ରକାଶ ଯେ, ଗତ ୩୧ ଅଗଷ୍ଟ ପୂର୍ବାହ୍ନ ପ୍ରାୟ ୧୦ଟା ୩୦ ମିନିଟ୍‌ ସମୟରେ ଚାର୍ଲସ ଲୁଗୁନ ନିଜ ଘର ସମ୍ମୁଖରେ ବସି ଏକ ବାଡ଼ି ଛେଳୁ ଥିଲେ। ସେହି ସମୟରେ ପଡ଼ୋଶୀ ଚାରାପଡ଼ାର ପାତ୍ରାସ ଡାଙ୍ଗ ଆସି ତାଙ୍କୁ ଉକ୍ତ ବାଡ଼ିଟି ମାଗିଥିଲେ। ଚାର୍ଲସ ବାଡ଼ି ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପାତ୍ରାସ ହଠାତ୍ ଚାର୍ଲସଙ୍କ ହାତରୁ ବାଡ଼ିଟି ଛଡ଼ାଇ ନେଇ ଆକ୍ରମଣ କରିବା ସହ ପାଖରେ ଥିବା ଏକ ଲୁହା କୁରାଢ଼ୀରେ ତାଙ୍କୁ ନିର୍ମମ ଭାବେ ହାଣି ଦେଇଥିଲେ। ଘଟଣାସ୍ଥଳରେ ହିଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚାର୍ଲସଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ବିଲକାନ ଏକ୍କାଙ୍କ ଠାରୁ ଖବର ପାଇ ଚାର୍ଲସଙ୍କ ପୁଅ ଜାକ୍ରିୟାସ ଲୁଗୁନ କୁ ଖବର ଦେଇଥିଲେ। ଚାର୍ଲ୍ସ ଘଟଣାସ୍ଥଳକୁ ଦୌଡ଼ି ଆସିବା ବେଳକୁ ଅଭିଯୁକ୍ତ ପାତ୍ରାସ ହତ୍ୟାକାଣ୍ଡରେ ବ୍ୟବହୃତ ବାଡ଼ି ଓ କୁରାଢ଼ୀ ଫିଙ୍ଗି ଫେରାର ହୋଇଯାଇଥିଲା। ସନ୍ଧ୍ୟାରେ ଗ୍ରାମର ଭଦ୍ରଲୋକ ଓ ପଞ୍ଚାୟତ ବୈଠକ ବେଳେ ପାତ୍ରାସ ଧରାପଡ଼ି ନିଜ ଦୋଷ ସ୍ୱୀକାର କରିଥିଲା। ଏ ନେଇ ମୃତକଙ୍କ ପୁଅ ଜାକ୍ରିୟାସ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ. ୧୩୦/୨୦୨୬, ଦଫା ୧୦୩(୧) BNS ଅନୁଯାୟୀ ମାମଲା ରୁଜୁ କରିଥିଲା। ପୁଲିସ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଲୁହା କୁରାଢ଼ୀ ଓ ବାଡ଼ି ଜବତ କରିବା ସହ ଅଭିଯୁକ୍ତ ପାତ୍ରାସ ଡାଙ୍ଗକୁ ଗିରଫ କରି କୁଚିଣ୍ଡା ଏସଡିଜେଏମ୍‌ (SDJM) କୋର୍ଟକୁ ଚାଲାଣ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories