ବାହାନଗା ଟ୍ରେନ୍‌ ଦୁର୍ଘଟଣା; ଓଡ଼ିଶାରୁ ୩୯ ଯାତ୍ରୀ ମୃତ; ମୃତକଙ୍କ ପରିବାରକୁ ୧.୯୫ କୋଟି ଟଙ୍କାର ଅନୁକମ୍ପାମୂଳକ ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ 


ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଜୁନ୍ ୨ ରେ ଘଟିଥିବା ଟ୍ରିପଲ ଟ୍ରେନ୍ ଦୁର୍ଘଟଣାରେ ଓଡ଼ିଶାରୁ ୩୯ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି। ଏହି ୩୯ ଜଣ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି (ସିଏମଆରଏଫ) ରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଏହି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମଧ୍ୟରୁ ୩୯ ଜଣ ଓଡିଶାର ବୋଲି ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୧୪ ଜଣ ବାଲେଶ୍ୱରର , ୯ ଜଣ ମୟୂରଭଞ୍ଜରୁ, ୯ ଜଣ ଭଦ୍ରକରୁ, ୩ ଜଣ କଟକରୁ, ୨ ଜଣ ଯାଜପୁର , ୨ ଜଣ ଖୋର୍ଦ୍ଧାର ଏବଂ କେନ୍ଦୁଝରର ଜଣେ ବ୍ୟକ୍ତି ଅଛନ୍ତି।

ଓଡିଶାରୁ ମୃତକଙ୍କ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କ ସହାୟତା ପାଇଁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।