Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ସେବା ସଂକଳ୍ପ’ କାର୍ଯ୍ୟକ୍ରମ: ‘ବିକଶିତ ଭାରତ’ ଉପରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ଜମନକିରା : ଭାରତୀୟ ଜନତା ପାର୍ଟିର ‘ସେବା ସଂକଳ୍ପ ଅଭିଯାନ’ ପକ୍ଷରୁ ସ୍ଥାନୀୟ ସରକାରୀ (ଏସ୍‌ଏସ୍‌ଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ‘ବିକଶିତ ଭାରତ’ ଶୀର୍ଷକ ଉପରେ ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷା ପ୍ରିୟଙ୍କା ପ୍ରିୟଦର୍ଶିନୀ ପଣ୍ଡା ସଭାପତିତ୍ୱ କରିଥିଲେ। ଏଥିରେ ବିଶିଷ୍ଟ ଅତିଥି ଭାବେ ସୁନୀଲ କୁମାର ମୁଦୁଲି ଏବଂ ରମେଶ ଚନ୍ଦ୍ର ଭୋଇ ଯୋଗଦେଇଥିଲେ। ଅତିଥିମାନେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଆଗାମୀ ଦିନରେ ଏକ ଆତ୍ମନିର୍ଭର ତଥା ବିକଶିତ ଭାରତ ଗଠନରେ ଯୁବପିଢ଼ି ଏବଂ ଛାତ୍ରଛାତ୍ରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେବା ଓ ରାଷ୍ଟ୍ରନିର୍ମାଣ ସଂକଳ୍ପକୁ ନେଇ ପ୍ରତ୍ୟେକ ନାଗରିକ ଆଗେଇ ଆସିବା ଉଚିତ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଆୟୋଜିତ ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତାରେ ବିଦ୍ୟାଳୟ ତଥା କଲେଜର ଶତାଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ଶେଷରେ ଓଡ଼ିଆ ପିଜିଟି ଉପମା ନାଏକଙ୍କ ତତ୍ତ୍ୱାବଧାନରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ତଥା ଉତ୍ସାହିତ କରାଯାଇଥିଲା।
କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ହାଇସ୍କୁଲ ସହକାରୀ ଶିକ୍ଷୟିତ୍ରୀ ଅଳକା ପଟେଲ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। କଲେଜ ଏବଂ ହାଇସ୍କୁଲ କର୍ତ୍ତୃପକ୍ଷଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories