Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାପ କାମୁଡ଼ାରେ ଯୁକ୍ତ ଦୁଇ ଛାତ୍ରୀ ମୃତ୍ୟୁ: ଝଡ଼ାଫୁଙ୍କା ପରେ ଡାକ୍ତରଖାନା ନେବାରେ ବିଳମ୍ବରୁ ଚାଲିଗଲା ଜୀବନ

ଜମନକିରା: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସାପ କାମୁଡ଼ାରେ ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର କଲେଜ ଛାତ୍ରୀଙ୍କ ଅକାଳ ବିୟୋଗ ଘଟିଛି। ମୃତ ଛାତ୍ରୀ ଜଣକ ହେଲେ ଜମନକିରା କଲେଜର ପ୍ରଥମ ବର୍ଷ କଳା ଛାତ୍ରୀ ଲଙ୍ଗବାହାଲ ଗ୍ରାମର ଝରଣା ସବର (୧୬)।
ମିଳିଥିବା ସୂଚନା ଅନୁସାରେ, ଗତ ବିଳମ୍ବିତ ରାତି ପ୍ରାୟ ସାଢ଼େ ୩ଟା ସମୟରେ ଝରଣା ଘରେ ଶୋଇଥିବା ଅବସ୍ଥାରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ତୁରନ୍ତ ଡାକ୍ତରଖାନା ନ ନେଇ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପ୍ରଥମେ ଗୁଣିଗାରେଡ଼ି ତଥା ଝଡ଼ାଫୁଙ୍କା କରିବାରେ ସମୟ ନଷ୍ଟ କରିଥିଲେ। ଫଳରେ ଝରଣାଙ୍କ ଶରୀରରେ ବିଷକ୍ରିୟା ବ୍ୟାପି ସ୍ଥିତି ସଙ୍କଟାପନ୍ନ ହୋଇପଡ଼ିଥିଲା। ଅବସ୍ଥା ଅତି ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ। ସମୟ ଥାଉ ଥାଉ ଡାକ୍ତରଖାନା ନ ନେଇ ଝଡ଼ାଫୁଙ୍କାରେ ସମୟ ବ୍ୟୟ କରିବା ଯୋଗୁଁ ଚିକିତ୍ସା ବିଳମ୍ବ ହୋଇ ଝିଅଟିର ଜୀବନ ଚାଲିଗଲା ବୋଲି ଆଲୋଚନା ହେଉଛି।
ଝରଣାଙ୍କ ଏହି ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ତଥା କଲେଜ ପରିସରରେ ଗଭୀର ଶୋକର ଛାୟା ଖେଳିଯାଇଛି। ସହପାଠୀ, ଅଧ୍ୟାପକ ଏବଂ ଗ୍ରାମବାସୀ ଏହି ଦୁଃଖଦ ଘଟଣାରେ ମର୍ମାହତ ହୋଇପଡ଼ିଛନ୍ତି। ସ୍ଥାନୀୟ ପ୍ରଶାସନ ତରଫରୁ ଏହି ଘଟଣାର ତଦନ୍ତ ସହ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ସାପ କାମୁଡ଼ିଲେ ଗୁଣିଗାରେଡ଼ି ବା ଝଡ଼ାଫୁଙ୍କା ଭଳି ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ନ ଦେଇ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ବୁଦ୍ଧିଜୀବୀ ମହଲରୁ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories