ବଜ୍ରପାତର କୋପ: ବଲାଙ୍ଗିରରେ ବୃଦ୍ଧ ଗୁରୁତର, ୨ ଗାଈ ମୃତ !
ବଲାଙ୍ଗୀର,୨୨।୯: ଆଜିଠୁ ସାରା ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ଘଡ଼ଘଡ଼ି ସହ ଲଗାଣ ବର୍ଷା ଜାରି ରହିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ବଜ୍ରପାତ ଯୋଗୁଁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବଜ୍ରାଘାତ ଶିକାର ହୋଇ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଥିବା ବେଳେ ୨ଟି ଗାଈଙ୍କର ଅକାଳ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ସରମୁହାଣ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଢ଼ାଭଟା ଗାଁରେ ଆଜି ଅପରାହ୍ନରେ ହଠାତ୍ କାଳବୈଶାଖୀ ସହ ବଜ୍ରପାତ ହୋଇଥିଲା। ଏହି ସମୟରେ ଗାଁର ହାଡ଼ୁ ପୁଞ୍ଜି (୬୦) ବଜ୍ରାଘାତର ଶିକାର ହୋଇ ସଂଜ୍ଞାହୀନ ହୋଇପଡ଼ିଥିଲେ। ଏଥିସହିତ ଘଟଣାସ୍ଥଳରେ ୨ଟି ଗାଈଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।
ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ହାଡ଼ୁ ପୁଞ୍ଜିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଗ୍ରାମାଞ୍ଚଳରେ ଏହି ଘଟଣାକୁ ନେଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି।

