ମୁରିବାହାଲ: ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଲୁହା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ; ଡ୍ରାଇଭର ଓ ହେଲ୍ପର ଗୁରୁତର ।
ବଲାଙ୍ଗୀର,୧୨।୧୧: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମହାରାଷ୍ଟ୍ରରୁ ଟିଟିଲାଗଡ଼ ଅଭିମୁଖେ ଯାଉଥିବା ଏକ ଲୁହାବୋଝେଇ ଟ୍ରକ ଭୋଇପଡ଼ା-ଗୁରୁଣ୍ଡା ମଝି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି।
ଏହି ଭୟାବହ ଦୁର୍ଘଟଣାରେ ଟ୍ରକର ଡ୍ରାଇଭର ଓ ହେଲ୍ପର ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ପାଇ ମୁରିବାହାଲ,ବଙ୍ଗୋମୁଣ୍ଡା ଏବଂ ଟିଟିଲାଗଡ଼ ଅଗ୍ନିଶମ ବାହିନୀ ଓ ମୁରିବାହାଲ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇଛନ୍ତି। ପୋଲିସ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଏହାର ଅଧିକ ତଦନ୍ତ ଜାରି ରହିଛି।
ଅନ୍ୟପକ୍ଷରେ, ଜାତୀୟ ରାଜପଥର ଏହି ନିର୍ଦ୍ଦିଷ୍ଟ ବୁଲାଣି ଅଞ୍ଚଳରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ଓ ରାଜପଥ କର୍ତ୍ତୃପକ୍ଷ କୌଣସି ସ୍ଥାୟୀ ପ୍ରତିକାର କରୁନଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କୁହୁଡ଼ି କିମ୍ବା ଦୃଶ୍ୟମାନ ସମସ୍ୟା ଏବଂ ଦ୍ରୁତ ଗତି ଯୋଗୁଁ ଏହି ବୁଲାଣିରେ ପ୍ରାୟତଃ ବଡ଼ ବଡ଼ ଟ୍ରକ୍ ଗୁଡ଼ିକ ଦୁର୍ଘଟଣାର ଶିକାର ହେଉଛନ୍ତି ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମଧାନ ପାଇଁ ସାଧାରଣରେ ଦାବି ହୋଇଛି।

