Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର: ସଇଁତଳା ଜାତୀୟ ରାଜପଥ-୨୬ରେ ଭୟାବହ ସଡ଼କ ଦୁର୍ଘଟଣା; ମୁହାଁମୁହିଁ ଧକ୍କା ହେଲେ ‘ଜଗନ୍ନାଥ ଏକ୍ସପ୍ରେସ୍’ ବସ୍ ଓ ମକା ବୋଝେଇ ଟ୍ରକ୍, ଡ୍ରାଇଭର ଗୁରୁତର ।

ବଲାଙ୍ଗୀର,୮।୧୧: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୬ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ ଖରିଆର ଅଭିମୁଖେ ଯାଉଥିବା ‘ଜଗନ୍ନାଥ ଏକ୍ସପ୍ରେସ୍’ ନାମକ ଯାତ୍ରୀବାହୀ ବସ୍ ଏବଂ ବିପରୀତ ଦିଗରୁ ମକ୍କା ବୋଝେଇ କରି ଯାଉଥିବା ଏକ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।
ଗତ କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଘନ କୁହୁଡ଼ି ଲାଗିରହିଥିବାରୁ ରାସ୍ତାରେ ଦୃଶ୍ୟମାନତା କମ ରହିଥିଲା। ଏହି କାରଣରୁ ଉଭୟ ଗାଡ଼ି ମଧ୍ୟରେ ସିଧାସଳଖ ଧକ୍କା ହୋଇଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି।
ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଟ୍ରକ୍‌ଟିର ସମ୍ମୁଖ ଭାଗ ନଷ୍ଟ ହୋଇଯିବାରୁ ଟ୍ରକ୍ ଡ୍ରାଇଭର ଜଣକ ଷ୍ଟିଅରିଂ ଭିତରେ ଦୀର୍ଘ ଦୁଇ ଘଣ୍ଟା କାଳ ଚାପି ହୋଇ ଫସି ରହିଥିଲେ। ଖବର ପାଇ ସଇଁତଳା ଓ ବଲାଙ୍ଗୀରରୁ ଅଗ୍ନିଶମ ବାହିନୀର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିର୍ଦ୍ଦିଷ୍ଟ ଅପରେସନ୍ ଜରିଆରେ ଡ୍ରାଇଭରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।
ଅନ୍ୟପଟେ, ଦୁର୍ଘଟଣାରେ ଆହତ ହୋଇଥିବା ବସ୍ ଡ୍ରାଇଭରଙ୍କୁ ତୁରନ୍ତ ସଇଁତଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୌଭାଗ୍ୟବଶତଃ ବସରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ କାହାରି କୌଣସି ବଡ଼ଧରଣର କ୍ଷତି ହୋଇନାହିଁ।
ଏହି ଦୁର୍ଘଟଣା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିଗୁଡ଼ିକ ଅଟକି ରହି କିଛି ସମୟ ପାଇଁ ଟ୍ରାଫିକ ଜାମ୍ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଟ୍ରାଫିକ ବ୍ୟବସ୍ଥାକୁ ସ୍ୱାଭାବିକ କରିଛି। ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories