Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜିରେ ସମାଜସେବୀଙ୍କୁ ଯୋଜନାବଦ୍ଧ ଆକ୍ରମଣ; ହାତ ଓ ଗୋଡ଼ ଭାଙ୍ଗିଦେଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଭବାନୀପାଟଣା ସ୍ଥାନାନ୍ତର ।

ବଲାଙ୍ଗୀର,୧୨।୧୧: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିନ୍ଧେକେଲା ଥାନା ଅଞ୍ଚଳରେ ଜଣେ ଜଣାଶୁଣା ସାମଜିକକର୍ମୀ ତଥା ସୋସିଆଲ ମିଡିଆରେ ଜନସମସ୍ୟା ଉଠାଉଥିବା ବ୍ୟକ୍ତି ସୁରଥ ବେହେରାଙ୍କୁ ମାରାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ରାଜନୈତିକ ଆକ୍ରୋଶ ରଖି ପୂର୍ବ ଯୋଜନା ମୁତାବକ ତାଙ୍କୁ ଡାକି ନେଇ ଷ୍ଟିଲ୍ ରଡ୍‌ରେ ଆକ୍ରମଣ କରାଯାଇଥିବା ପୀଡ଼ିତ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ଦୁଇ ତିନି ଦିନ ତଳେ ରାଜୁ ବାରିକ ନାମକ ଜଣେ ବ୍ୟକ୍ତି ସୁବ୍ରତଙ୍କୁ ଫୋନ୍ କରି ଭୂର୍ଷାଗୁଡ଼ାରୁ କୁହୁରା ଯିବା ରାସ୍ତାର ଶୋଚନୀୟ ଅବସ୍ଥା ସମ୍ପର୍କରେ ସୋସିଆଲ ମିଡିଆରେ ଖବର ପ୍ରସାରଣ କରିବାକୁ ଅନୁରୋଧ କରିଥିଲେ। ଏହି କ୍ରମରେ ଶ୍ରୀ ବେହେରା ଭୁବନେଶ୍ୱରରୁ ଫେରିବା ପରେ ଆଜି ସକାଳ ପ୍ରାୟ ୮ଟା ୩୦ରୁ ୯ଟା ମଧ୍ୟରେ ବାଇକ୍ ଯୋଗେ ଉକ୍ତ ସ୍ଥାନକୁ ବାହାରିଥିଲେ। ସେ ଚାନ୍ଦୋତରା ଅତିକ୍ରମ କରି ପଞ୍ଚାୟତ ନିକଟରେ ପହଞ୍ଚିବା ପରେ ଫୋନ୍ କରିବାରୁ ତାଙ୍କୁ ପଞ୍ଚାୟତର କିଛି ଆଗକୁ ଆସିବାକୁ କୁହାଯାଇଥିଲା।
ସେଠାରେ ପହଞ୍ଚିବା ମାତ୍ରେ ମୁହଁରେ କପଡ଼ା ବାନ୍ଧିଥିବା ଜଣେ ଯୁବକ ଷ୍ଟିଲ୍ ରଡ୍ ସାହାଯ୍ୟରେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ପ୍ରଥମେ ହାତ ଓ ଗୋଡ଼କୁ ପିଟିବା ପରେ ସେ ତଳେ ପଡ଼ିଯିବାରୁ ଦୁର୍ବୃତ୍ତମାନେ ତାଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରିଥିଲେ। ଆକ୍ରମଣ ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ପାଣି ପିଆଇବା ସହ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରିଥିଲେ।
ଆକ୍ରମଣରେ ଶ୍ରୀ ବେହେରାଙ୍କ ଦୁଇଟି ଗୋଡ଼ ଓ ହାତ ଭାଙ୍ଗିଯାଇଥିବା ବେଳେ ମୁଣ୍ଡର ପଛପାଖରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ସିନ୍ଧେକେଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।
ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଦୁର୍ନୀତି ବିରୋଧରେ ସୋସିଆଲ ମିଡିଆରେ ସ୍ୱର ଉତ୍ତୋଳନ କରୁଥିବାରୁ ରାଜନୈତିକ ପ୍ରତିଶୋଧ ପରାୟଣ ହୋଇ କିଛି ବ୍ୟକ୍ତି ଲୋକ ଲଗାଇ ତାଙ୍କୁ ହତ୍ୟା ଉଦ୍ୟମ କରିଥିବା ଶ୍ରୀ ବେହେରା ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବାରୁ ସେ ଏପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ କରିପାରି ନଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories