Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀରରେ ପ୍ରବଳ ବର୍ଷା ସମ୍ଭାବନା: ଦୁଇ ଦିନ ପାଇଁ ସମସ୍ତ ସ୍କୁଲ୍, କଲେଜ୍ ଓ ଅଙ୍ଗନବାଡ଼ି ବନ୍ଦ ଘୋଷଣା, ଚାଲୁରହିବ ପରୀକ୍ଷା ।

ବଲାଙ୍ଗୀର,୨୨।୯: ରାଜ୍ୟରେ ବର୍ଷାର ପ୍ରକୋପକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲାରେ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ବତନ୍ତ୍ର ରିଲିଫ୍ କମିଶନର (SRC), ଓଡ଼ିଶାଙ୍କ ପକ୍ଷରୁ ବଲାଙ୍ଗୀର ଜିଲ୍ଲା ପାଇଁ ପ୍ରବଳ ବର୍ଷାର ‘ଅରେଞ୍ଜ ୱାର୍ଣ୍ଣିଂ’ (Orange Warning) ଜାରି କରାଯିବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଛାତ୍ରଛାତ୍ରୀମାନଙ୍କ ନିରାପତ୍ତା ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ଆଦେଶ ଦେଇଛନ୍ତି।
ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନିର୍ଗତ ଆଦେଶପତ୍ର (ସଂଖ୍ୟା: ୧୯୨୨, ତାରିଖ: ୨୨/୦୯/୨୦୨୬) ଅନୁସାରେ, ଆସନ୍ତା ୨୩.୦୯.୨୦୨୬ (ବୁଧବାର) ଏବଂ ୨୪.୦୯.୨୦୨୬ (ଗୁରୁବାର) ଦୁଇ ଦିନ ପାଇଁ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV), କେନ୍ଦ୍ରୀୟ ବିଦ୍ୟାଳୟ (KV), ଏକଲବ୍ୟ ମୋଡେଲ ଆବାସିକ ବିଦ୍ୟାଳୟ (EMRS) ଏବଂ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ।
ତେବେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମସ୍ତ ପରୀକ୍ଷା ପୂର୍ବ ସୂଚୀ ଅନୁସାରେ ଯଥାରୀତି ଅନୁଷ୍ଠିତ ହେବ, ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଏହି ଆଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ଆରଡିସି (ଉତ୍ତରାଞ୍ଚଳ) ଏବଂ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କୁ ସୂଚନା ଓ ଅବଗତି ପାଇଁ ଏହି ଆଦେଶର ନକଲ ପ୍ରେରଣ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories