ଦାଦନ ଖଟିବାକୁ ଯାଇ ଫେରିଲେ ଶବ ହୋଇ: କେରଳରେ ଯୁବକଙ୍କ ମୃତ୍ୟୁ, ଚିନିମହୁଲ ଗାଁରେ ଶୋକାକୁଳ ପରିବେଶ
ଜମନକିରା : ପେଟ ପାଟଣା ଓ ପରିବାର ପ୍ରତିପୋଷଣ ପାଇଁ ସୁଦୂର କେରଳ ଯାଇଥିବା ଜଣେ ଯୁବକ ଶେଷରେ କାଠବାକ୍ସ ଭିତରେ ଶବ ହୋଇ ଘରକୁ ଫେରିଛନ୍ତି। ମୃତ ଯୁବକ ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଅନ୍ତର୍ଗତ ଚିନିମହୁଲ ଗ୍ରାମର ଅମିତ ବୁଟୁ। ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଘଟଣାରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡରମା ପଞ୍ଚାୟତ
ଚିନିମହୁଲ ଗ୍ରାମର ଶ୍ରୀମୁଖ ବୁଟୁ ଓ ବିନତି ବୁଟୁଙ୍କ ଏକମାତ୍ର ରୋଜଗାରକ୍ଷମ ପୁଅ ଥିଲେ ଅମିତ। ପରିବାରର ଆର୍ଥିକ ଅନାଟନ ଦୂର କରିବା ପାଇଁ ସେ କିଛି ଦିନ ତଳେ କେରଳର ଏକ ଘରୋଇ କମ୍ପାନୀକୁ କାମ କରିବା ପାଇଁ ଯାଇଥିଲେ। ତେବେ ୩ ଦିନ ପୂର୍ବରୁ ହଠାତ୍ ଅମିତଙ୍କ ନାକରୁ ପ୍ରବଳ ରକ୍ତସ୍ରାବ ହେବା ସହ ରକ୍ତ ବାନ୍ତି ହୋଇଥିଲା। ଅସୁସ୍ଥ ଅବସ୍ଥାରେ ସମ୍ପୃକ୍ତ କମ୍ପାନୀ ପକ୍ଷରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କମ୍ପାନୀ ମାଲିକଙ୍କ ସହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ଅମିତଙ୍କ ମୃତଦେହ ଗତକାଲି ତାଙ୍କ ନିଜ ଗାଁ ଚିନିମହୁଲରେ ପହଞ୍ଚିଥିଲା। ପୁଅର ନିର୍ଜୀବ ଦେହକୁ ଦେଖି ମାତାପିତା, ବଡ଼ ମା’ ସୁଲୋଚନା ବୁଟୁ, ସମ୍ପର୍କୀୟା ମୀନା ପଧାନ ଏବଂ ପରିବାର ବର୍ଗଙ୍କ କାନ୍ଦ ବୋବାଳିରେ ସ୍ଥାନୀୟ ପରିବେଶ ସ୍ତବ୍ଧ ହୋଇଯାଇଥିଲା। ଅମିତଙ୍କ ସାଙ୍ଗ କମଲ କିସାନ ଓ ଚୂଡ଼ାମଣି ବାଘଙ୍କ ସମେତ ଗ୍ରାମବାସୀ ଏକତ୍ରିତ ହୋଇ ଶେଷକୃତ୍ୟ ସମ୍ପନ୍ନ କରିବା ସହ ଅମିତଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

