Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ଅଭାବରୁ ବିଗିଡ଼ିଲା ଶୈକ୍ଷିକ ବାତାବରଣ: ଭାତପୁରା ବିଦ୍ୟାଳୟ ଫାଟକରେ ଝୁଲିଲା ତାଲା;ପ୍ରଶାସନିକ ପ୍ରତିଶ୍ରୁତି ଓ ଡିଇଓଙ୍କ ଆଶ୍ୱାସନା ପରେ ସାମୟିକ ଭାବେ ସ୍ଥଗିତ ରହିଲା ଗଣଆନ୍ଦୋଳନ

ଜମନକିରା : ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଓ ପ୍ରଶାସନିକ ଉଦାସୀନତା ବିରୋଧରେ ଶେଷରେ ଫୁଟି ଉଠିଛି ଜନଅସନ୍ତୋଷ। ଜମନକିରା ବ୍ଲକ ଅନ୍ତର୍ଗତ ଡିମିରିମୁଣ୍ଡା ଗ୍ରାମପଞ୍ଚାୟତର ଭାତପୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦାମାନେ ରାସ୍ତାକୁ ଓହ୍ଲାଇବା ସହ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ତୀବ୍ର ପ୍ରତିବାଦ ଜଣାଇଛନ୍ତି।
ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ ୮ଟି ଶ୍ରେଣୀ ରହିଥିବା ବେଳେ ଶିକ୍ଷାଦାନ ପାଇଁ ମାତ୍ର ୩ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି। ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହେବା ସହ ପାଠପଢ଼ା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି। କେବଳ ଶିକ୍ଷକ ଅଭାବ ନୁହେଁ, ବରଂ ବିଶୁଦ୍ଧ ପାନୀୟ ଜଳ, ନୂତନ ଶ୍ରେଣୀଗୃହ, ସୁରକ୍ଷା ପାଚେରି ଏବଂ ଶୌଚାଳୟ ଭଳି ସର୍ବନିମ୍ନ ମୌଳିକ ଭିତ୍ତିଭୂମିରୁ ମଧ୍ୟ ଏହି ବିଦ୍ୟାଳୟ ବଞ୍ଚିତ ହୋଇ ରହିଛି। ଏହି ବହୁବିଧ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଗତ ୫ ତାରିଖରେ ଅଭିଭାବକ ମହଲରୁ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ, ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଶିକ୍ଷା ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମାତ୍ର ୧୨ ଦିନ ବିତିଯାଇଥିଲେ ସୁଦ୍ଧା ପ୍ରଶାସନିକ ସ୍ତରରେ କୌଣସି ଠୋସ ପଦକ୍ଷେପ ନିଆନଯିବାରୁ ବାଧ୍ୟ ହୋଇ ଅଭିଭାବକମାନେ ଆନ୍ଦୋଳନର ପନ୍ଥା ଆପଣାଇଥିଲେ।
ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ, ସୋମବାର ସକାଳ ୧୦ଟା ପୂର୍ବରୁ ଶତାଧିକ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ମୁଖ୍ୟ ଫାଟକରେ ତାଲା ଝୁଲାଇବା ସହ ପ୍ରତିବାଦ ସଭା କରିଥିଲେ। ଖବର ପାଇ କୁଚିଣ୍ଡା ଉପଜିଲ୍ଲାପାଳ ପି. ମଣିବାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ତିନି ଦିନ ମଧ୍ୟରେ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ସେ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ, ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଲକ୍ଷଣ ଭୋଇ ମଧ୍ୟ ଉପଜିଲ୍ଲାପାଳଙ୍କ ସହ ସମନ୍ୱୟ ରକ୍ଷା କରି ଶୀଘ୍ର ଶିକ୍ଷକ ଯୋଗାଇ ଦେବାକୁ ଆଶ୍ୱାସନା ଦେଇଛନ୍ତି।
ସେହିପରି ବିଦ୍ୟାଳୟର ଅନ୍ୟାନ୍ୟ ଭିତ୍ତିଭୂମିଗତ ସମସ୍ୟା ସମ୍ପର୍କରେ ଜମନକିରା ବିଡିଓଙ୍କ ସହ ସକାରାତ୍ମକ ଆଲୋଚନା ହୋଇଥିବା ବେଳେ ପାନୀୟ ଜଳ ଓ ନୂତନ ଶ୍ରେଣୀଗୃହ ନିର୍ମାଣ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାପଡ଼ିଛି। ପ୍ରଶାସନିକ ଅଧିକାରୀଙ୍କ ଏହି ଲିଖିତ ଓ ମୌଖିକ ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀମାନେ ସାମୟିକ ଭାବେ ତାଲାବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି।
ଏହି ଗଣଧାରଣାରେ ପୂର୍ବତନ ଏସଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି, ବିଜେପି ସାଧାରଣ ସମ୍ପାଦକ ସତୀଶ ମହାନ୍ତି, ଡିମିରିମୁଣ୍ଡା ସରପଞ୍ଚ ପ୍ରଫୁଲ୍ଲ ଧରୁଆ, ପୂର୍ବତନ ସରପଞ୍ଚ ରତିକାନ୍ତ କିଷାନ, ସୂର୍ଯ୍ୟନାରାୟଣ ବେହେରା, ଦୁର୍ଗା ସେଠୀ, ପ୍ରଶାନ୍ତ ବେହେରା, ମଞ୍ଜୁ ମହାନ୍ତି, ବିଜୟ ସାହୁ, ବିଭନ ଶର୍ମା, ସୁରମୟ ମହାନ୍ତି, କାର୍ତ୍ତିକ ବିଶ୍ୱାଳ, ସନ୍ତୋଷ ଠାକୁର, ସୁରେଶ ଆଚାର୍ଯ୍ୟ, ଶରତ ଠାକୁର, ବିଳାସିନୀ ନାଏକ, ଅନୁପମା ମାଝୀ, ସବିତା ପ୍ରଧାନ ଓ ଶ୍ରଦ୍ଧାଞ୍ଜଳି କିଷାନଙ୍କ ସମେତ ଶତାଧିକ ଅଭିଭାବକ ଓ ଗ୍ରାମବାସୀ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories