ଜମନକିରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମହାସମାରୋହରେ ଶିଶୁ ଦିବସ ପାଳିତ
ଜମନକିରା : ସ୍ଥାନୀୟ ଜମନକିରା ସରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଶିଶୁ ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଆଜିର ଶିଶୁ ହିଁ ଆସନ୍ତାକାଲିର ଭବିଷ୍ୟତ ଏବଂ ଦେଶ ଗଠନର ମୁଖ୍ୟ କର୍ଣ୍ଣଧାର—ଏହି ମହତ୍ ଉଦ୍ଦେଶ୍ୟକୁ ପାଥେୟ କରି ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସେମାନଙ୍କ ଅଧିକାରର ସୁରକ୍ଷା ତଥା ଉତ୍ତମ ଶିକ୍ଷା ଓ ସଂସ୍କାର ପ୍ରଦାନ କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଇଥିଲା।
ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କୁଚିଣ୍ଡା ପୂର୍ତ୍ତ ବିଭାଗର ପୂର୍ବତନ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଅନୁଷ୍ଠାନର ପରିଚାଳନା ସମିତିର ସଭାପତି ସାଲେକରାମ ପ୍ରଧାନ ଓ ସମ୍ପାଦକ ନାରାୟଣ ସାହୁ ମଞ୍ଚାସୀନ ରହି ଶିଶୁ ଦିବସ ପାଳନର ମୂଳ ଉଦ୍ଦେଶ୍ୟ, ମହତ୍ତ୍ୱ ଏବଂ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶର ଗୁରୁତ୍ୱ ସମ୍ପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ଶିଶୁ ବାଟିକା ବିଭାଗର ଶୈକ୍ଷିକ ପ୍ରମୁଖ ଡିଲେଶ୍ୱରୀ ଖମାରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଦର୍ଶ ଜୀବନୀ, ଶିଶୁମାନଙ୍କ ପ୍ରତି ତାଙ୍କର ଅଗାଧ ସ୍ନେହ ତଥା ରାଷ୍ଟ୍ର ନିର୍ମାଣରେ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ଶିଶୁମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢ଼ି ତୋଳିବାରେ ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ମଟାରୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଗୁରୁମା ସସ୍ମିତା ବିଶ୍ୱାଳ ଅତ୍ୟନ୍ତ ସୁନ୍ଦର ଭାବେ ସଭା ପରିଚାଳନା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ସକ୍ରିୟ ସହଯୋଗ କରିଥିଲେ।

