ବିଛାଳାଲ ରାମଚନ୍ଦ୍ର ଗୁପ୍ତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱଭାବକବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ: ମେଧାବୀ ଛାତ୍ରଛାତ୍ରୀ ଓ ଆନ୍ତର୍ଜାତୀୟ କ୍ରୀଡ଼ାବିତ୍ ସମ୍ବର୍ଦ୍ଧିତ
ଜମନକିରା : ସ୍ଥାନୀୟ ବିଛାଳାଲ ରାମଚନ୍ଦ୍ର ଗୁପ୍ତା (ବି.ଆର୍.ଜି.) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ସଚେତନ ନାଗରିକ କମିଟି, ଭୋଜପୁର’ର ଆନୁକୂଲ୍ୟରେ ପ୍ରକୃତିକବି ତଥା ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ସମାରୋହରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଘାସିରାମ ବାରିକ ଅଧ୍ୟକ୍ଷତା କରିଥିଲେ। ଏଥିରେ କୁଟୁରାଛୁଆଁ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କବିଙ୍କ ସଂଘର୍ଷମୟ ତଥା ପ୍ରେରଣାଦାୟୀ ଜୀବନୀ ଉପରେ ଆଲୋକପାତ କରିଥିଲେ। ତାଙ୍କ କାବ୍ୟ-କବିତାର ମହାନତାକୁ ବର୍ଣ୍ଣନା କରିବା ସହ ‘ମାତୃଭୂମି ଓ ମାତୃଭାଷା’ ପ୍ରତି ସମର୍ପିତ ହୋଇ ସମାଜ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଚିକିତ୍ସକ ଡାକ୍ତର ହୃଦାନନ୍ଦ ନାୟକ, ସମ୍ମାନିତ ଅତିଥି ଭାବେ ଶ୍ରୀ ନିକୁଞ୍ଜ ବିହାରୀ ରଣା ଏବଂ ଅନ୍ୟତମ ସମ୍ମାନିତ ଅତିଥି ତଥା ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରତାପ କୁମାର ମହାକୁଲ ଯୋଗଦେଇ ଗଙ୍ଗାଧର ମେହେରଙ୍କ ଉଚ୍ଚ ଆଦର୍ଶ ଓ ନୈତିକ ମୂଲ୍ୟବୋଧକୁ ନିଜ ଜୀବନରେ ଆପଣେଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ସଭା ପ୍ରାରମ୍ଭରେ ସଚେତନ ନାଗରିକ କମିଟିର ଆବାହକ ଶ୍ରୀ ପ୍ରଦୀପ କୁମାର ପଣ୍ଡା ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ସଂସ୍କୃତିର ବିକାଶ ଦିଗରେ କମିଟିର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ପରେ କମିଟିର ସମ୍ପାଦକ ଶ୍ରୀ ରମାକାନ୍ତ ମହାକୁଲ ବାର୍ଷିକ ବିବରଣୀ ପାଠ କରିଥିଲେ। ଚଳିତ ୨୦୨୬ ଶିକ୍ଷାବର୍ଷରେ ଯୁକ୍ତ ଦୁଇ (+୨) ବାର୍ଷିକ ପରୀକ୍ଷାରେ ସମଗ୍ର ବ୍ଲକ୍ରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ମେଧାବୀ ଛାତ୍ରଛାତ୍ରୀ— କ୍ରିଷ୍ଣା ସାହୁ, ଲିପ୍ସା ରୋହିଦାସ ଏବଂ ସୀମା କିଷାନଙ୍କୁ ମାନପତ୍ର, ଟ୍ରଫି ସହିତ ନଗଦ ଏକ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। ଏଥିସହ ନିକଟରେ ଜାପାନରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରି ଅଞ୍ଚଳ ତଥା ଦେଶ ପାଇଁ ଗୌରବ ଆଣିଥିବା ଭୋଜପୁରର କୃତୀ କ୍ରୀଡ଼ାବିତ୍ କୁଲଦୀପ ମାହାକୁଲ୍ଙ୍କୁ ମଧ୍ୟ ମାନପତ୍ର, ଟ୍ରଫି ଓ ନଗଦ ଏକ ହଜାର ଟଙ୍କା ଦେଇ ବିଶେଷ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ଏହି ସମାରୋହରେ ବି.ଆର୍.ଜି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ, ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିନିଧି ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ଶ୍ରୀ ଭରତ ଚନ୍ଦ୍ର ଗୁପ୍ତା, ଶ୍ରୀ ପ୍ରଶାନ୍ତ ନାୟକ, ଶ୍ରୀ ପ୍ରକାଶ ମାଝୀ, ଶ୍ରୀ ମଳୟ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ସଭାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ସଭା ଶେଷରେ ଅନୁଷ୍ଠାନର ଓଡ଼ିଆ ଅଧ୍ୟାପକ ଶ୍ରୀ ଜନ୍ମେଜୟ କୁମୁରା ସମସ୍ତ ଅତିଥି ଓ ଉପସ୍ଥିତ ସମାବେଶକୁ ଧନ୍ୟବାଦ ଅର୍ପଣ କରିଥିଲେ।

