ଗଛରୁ ଖସି ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ; ତଦନ୍ତ ଆରମ୍ଭ କଲା ସଇଁତଲା ପୋଲିସ ।
ବଲାଙ୍ଗୀର,୨୬।୯: ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତ ଅନ୍ତର୍ଗତ ଜଲପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗଛରୁ ଖସିପଡ଼ି ଜଣେ ବ୍ୟକ୍ତିଙ୍କର କରୁଣ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ବ୍ୟକ୍ତିଜଣକ ଉକ୍ତ ଗ୍ରାମର ଧନୁ ସରାଫ ବୋଲି ଚିହ୍ନଟ କରାଯାଇଛି।
ସୂଚନାଯୋଗ୍ୟ, ଧନୁ ସରାଫ ଗଛରେ ଚଢ଼ିଥିବା ସମୟରେ କୌଣସି କାରଣବଶତଃ ଅସାବଧାନତା ଯୋଗୁଁ ତଳକୁ ଖସିପଡ଼ିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି।
ତେବେ ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଖବର ପାଇ ସଇଁତଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରିଛି। ପୋଲିସର ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ପଦାକୁ ଆସିବ।

