Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀରରେ ସ୍କ୍ରବ୍ ଟାଇଫସ୍ ଆଶଙ୍କା: ଶିଶୁମାନେ ସର୍ବାଧିକ ଆକ୍ରାନ୍ତ, ସାବଧାନ ରହିବାକୁ ଡାକ୍ତରଙ୍କ ପରାମର୍ଶ ।

ବଲାଙ୍ଗୀର,୨୬।୯: ବଲାଙ୍ଗୀର ଜିଲ୍ଲାରେ ପୁଣି ଥରେ ‘ସ୍କ୍ରବ୍ ଟାଇଫସ୍’ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣରେ କେବଳ ବୟସ୍କ ନୁହଁନ୍ତି, ବରଂ ଛୋଟ ଛୋଟ ଶିଶୁମାନେ ମଧ୍ୟ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଶିଶୁମାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବର୍ତ୍ତମାନ ଚିନ୍ତା ବଢ଼ିବାରେ ଲାଗିଛି।
ଡାକ୍ତରୀ ଦଳଙ୍କ ଅନୁଯାୟୀ, ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗୀଙ୍କଠାରେ ଥଣ୍ଡା, ପ୍ରବଳ ଜ୍ୱର, ମୁଣ୍ଡ ବିନ୍ଧା, ଶରୀରରେ ଅତ୍ୟଧିକ ଦୁର୍ବଳତା ଏବଂ କୀଟ କାମୁଡ଼ିଥିବା ସ୍ଥାନରେ କଳା ଦାଗ କିମ୍ବା ଘା’ଦେଖାଯାଇଥାଏ। ଯଦି ସମୟ ସୂଚୀ ଅନୁସାରେ ଏହାର ଚିକିତ୍ସା କରା ନଯାଏ, ତେବେ ଏହା ଶରୀରର ମୁଖ୍ୟ ଅଙ୍ଗ ଯଥା— ଫୁସଫୁସ (ନିମୋନିଆ), କିଡ୍ନୀ ଏବଂ ମସ୍ତିଷ୍କ ଉପରେ ଗୁରୁତର ପ୍ରଭାବ ପକାଇପାରେ।
ସାଧାରଣତଃ ସ୍କ୍ରବ୍ ଟାଇଫସ୍ କେବଳ ଚାଷ ଜମିରୁ ବ୍ୟାପିଥାଏ ବୋଲି ଲୋକଙ୍କର ଧାରଣା ରହିଛି, ମାତ୍ର ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଘାସ ପଡ଼ିଆରେ ଖେଳିବା ଦ୍ୱାରା କିମ୍ବା ଘରେ ଥିବା ଗୃହପାଳିତ ପଶୁଙ୍କ ଶରୀରରେ ରହୁଥିବା ଅତି ସୂକ୍ଷ୍ମ କୀଟ (ମାଇଟ୍) କାମୁଡ଼ିବା ଦ୍ୱାରା ଶିଶୁମାନେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି।
ପରିସ୍ଥିତିର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଭୀମଭୋଇ ମେଡିକାଲ କଲେଜ୍ ଏବଂ ହସ୍ପିଟାଲର ଶିଶୁ ବିଭାଗ ମୁଖ୍ୟ ଓ ଅନ୍ୟ ଶିଶୁ ରୋଗ ବିଶେଷଜ୍ଞମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରୋଗର ପ୍ରତିରୋଧ, ସଚେତନତା ଏବଂ ସଠିକ୍ ଚିକିତ୍ସା ପଦ୍ଧତି ସମ୍ପର୍କରେ ଆଲୋଚନା କରାଯାଇଛି।
ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ଯେ, ନିଜର ଚାରିପାଖ ପରିବେଶକୁ ସଫାସୁତରା ରଖନ୍ତୁ। ଶିଶୁଙ୍କଠାରେ ସାଧାରଣ ଥଣ୍ଡା କିମ୍ବା ଜ୍ୱରର ଲକ୍ଷଣ ଦେଖାଗଲେ ମଧ୍ୟ ଏହାକୁ ହେୟଜ୍ଞାନ ନକରି ତୁରନ୍ତ ନିକଟସ୍ଥ ହସ୍ପିଟାଲ କିମ୍ବା ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories