Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀରର ଦୁଇ ଯୁବ କଳାକାରଙ୍କ ଅକାଳ ବିୟୋଗ: ଶୋକାକୁଳ ସମ୍ବଲପୁରୀ କଳା ଜଗତ ।

ବଲାଙ୍ଗୀର,୨୭।୯: ବଲାଙ୍ଗୀର ଜିଲ୍ଲାର କଳା ଓ ସଂସ୍କୃତି ଜଗତକୁ ଏକ ବଡ଼ ଝଟକା। ମାତ୍ର ୨୪ ଘଣ୍ଟାର ବ୍ୟବଧାନରେ ଦୁଇଜଣ ଉଦୀୟମାନ ଯୁବ କଳାକାରଙ୍କ ଅକାଳ ବିୟୋଗ ଘଟିଛି। ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ତଥା କୀର୍ତ୍ତନ ଗାୟିକା ଜସ୍ମିନ ମାଝୀ ଏବଂ ଜଣାଶୁଣା ଯୁବ ନୃତ୍ୟଶିଳ୍ପୀ ପ୍ରେମ ମେହେରଙ୍କ ମୃତ୍ୟୁ ଖବର ସମଗ୍ର ଅଞ୍ଚଳ ସମେତ ସାଂସ୍କୃତିକ ପ୍ରେମୀଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳାଇଦେଇଛି।
ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଘୁଚାପାଲି ଗ୍ରାମର କୀର୍ତ୍ତନ ଗାୟିକା ଜସ୍ମିନ ମାଝୀ (୨୨)ଙ୍କର ଆଜି ବୁର୍ଲା ଭୀମସାର (VIMSAR) ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
ଜସ୍ମିନ ଜଣେ ସୁନାମଧନ୍ୟ କୀର୍ତ୍ତନ ଶିଳ୍ପୀ ଭାବେ ପରିଚିତ ଥିବା ସହ ଅନେକ ପ୍ରସିଦ୍ଧ ସମ୍ବଲପୁରୀ ଆଲବମ୍‌ରେ ଅଭିନୟ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।
ପ୍ରାଥମିକ ସୂଚନା ଅନୁଯାୟୀ ଏହା ଏକ ଆତ୍ମହତ୍ୟା ସହ ଜଡ଼ିତ ମାମଲା ବୋଲି ସନ୍ଦେହ କରାଯାଉଛି। ତେବେ ଘଟଣାର ପ୍ରକୃତ କାରଣ ଓ ପ୍ରସଙ୍ଗ ସମ୍ପର୍କରେ ସରକାରୀ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପୁଲିସ ମାମଲାର ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ଶେଷ ହେବା ପରେ ନିଶ୍ଚିତ କାରଣ ସାମ୍ନାକୁ ଆସିବ ବୋଲି କୁହାଯାଇଛି।
ଦିନକ ପୂର୍ବରୁ ଆଖି ବୁଜିଥିଲେ ଯୁବ ନୃତ୍ୟଶିଳ୍ପୀ ପ୍ରେମ ମେହେର
ଜସ୍ମିନଙ୍କ ମୃତ୍ୟୁର ଠିକ୍ ଦିନକ ପୂର୍ବରୁ ଖପ୍ରାଖୋଲ ଅଞ୍ଚଳର ଅନ୍ୟ ଜଣେ ପରିଚିତ ଯୁବ ନୃତ୍ୟଶିଳ୍ପୀ ପ୍ରେମ ମେହେର (୨୨)ଙ୍କର ମଧ୍ୟ ଅକାଳ ବିୟୋଗ ଘଟିଥିଲା।
ନାନ୍ଦୁପଲା ପଞ୍ଚାୟତ ତାମ୍ପିପଦର ଗ୍ରାମର ସାଧୁ ମେହେର ଓ ଅହଲ୍ୟା ମେହେରଙ୍କ ଏକମାତ୍ର ପୁଅ ପ୍ରେମ ନିଜର ଅସାଧାରଣ ନୃତ୍ୟ ଶୈଳୀ ପାଇଁ ବଲାଙ୍ଗୀର ଜିଲ୍ଲା ଓ ସମଗ୍ର ଓଡ଼ିଶାରେ ବେଶ୍ ଆଦୃତ ଥିଲେ। ବିଭିନ୍ନ ସମ୍ବଲପୁରୀ ଆଲବମ୍‌ରେ ଅଭିନୟ କରି ସେ ଦର୍ଶକଙ୍କ ନିକଟତର ହୋଇପାରିଥିଲେ।
ପ୍ରେମଙ୍କ ଶେଷ ସମୟରେ ତାଙ୍କ ବାପା, ମା’ ଏବଂ ଦୁଇ ଭଉଣୀ ଉପସ୍ଥିତ ଥିଲେ। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ମାତ୍ର ୨୨ ବର୍ଷ ବୟସରେ ଦୁଇଜଣ ପ୍ରତିଭାବାନ୍ ଯୁବ କଳାକାରଙ୍କୁ ହରାଇ ଖପ୍ରାଖୋଲ ସମେତ ଆଖପାଖ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କଳାକାର, କୀର୍ତ୍ତନ ଶିଳ୍ପୀ, ସାଂସ୍କୃତିକ କର୍ମୀ ଏବଂ ସ୍ଥାନୀୟ ଶୁଭେଚ୍ଛୁମାନେ ଏହି ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories