Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଗଜପତ୍ରରେ ୧୫ ଏକର ଜମିର ମାଲିକ, ବାସ୍ତବରେ ଅଭାବର ତାଡ଼ନାରେ ଭାଙ୍ଗୁଛି ସଂସାର: ଜ୍ୟୋତ୍ସ୍ନାମୟୀଙ୍କୁ ” ସୁଭଦ୍ରା ” ଯୋଜନାରୁ ବଞ୍ଚିତ କରି କେଉଁ ସୋସିଆଲ ଅଡିଟ୍‌ର ଡିଣ୍ଡିମ୍ ପିଟୁଛି ପ୍ରଶାସନ ?

ବଲାଙ୍ଗୀର,୨୯।୯: ସରକାରୀ ଯୋଜନାର ବଡ଼ ବଡ଼ ବିଜ୍ଞାପନ ଏବଂ ବାସ୍ତବ ସ୍ଥିତି ମଧ୍ୟରେ ଥିବା ଫରକକୁ ପୁଣି ଥରେ ପଦାରେ ପକାଇଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକରୁ ଆସିଥିବା ଏକ କରୁଣ ତଥା ଆଶ୍ଚର୍ଯ୍ୟଜନକ ଖବର। ଏହି ବ୍ଲକ୍ ଅନ୍ତର୍ଗତ କୁଶମେଲ ପଞ୍ଚାୟତ ପିପିଲିପାଲି ଗ୍ରାମର ଅସହାୟ ବିଧବା ମହିଳା ଜ୍ୟୋତ୍ସ୍ନାମୟୀ ସୁନା ଆଜି ପ୍ରଶାସନିକ ନାଲିଫିତା ତଥା ତ୍ରୁଟିପୂର୍ଣ୍ଣ ସରକାରୀ ଆକଳନର ଶିକାର ହୋଇଛନ୍ତି।
ଦୁଇ ବର୍ଷ ତଳେ ସ୍ବାମୀ ଗୌତମ ସୁନାଙ୍କ ଅକାଳ ବିୟୋଗ ପରେ ଜ୍ୟୋତ୍ସ୍ନାମୟୀଙ୍କ ମୁଣ୍ଡ ଉପରେ ଚାପି ହୋଇପଡ଼ିଛି ତିନି ତିନୋଟି ସନ୍ତାନଙ୍କ ଭବିଷ୍ୟତ। ଗୋଟିଏ ପଟେ ପୁଅ ଯୁକ୍ତ ଦୁଇରେ, ବଡ଼ ଝିଅ ଦଶମରେ ଏବଂ ସାନ ଝିଅ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ସେମାନଙ୍କ ପାଠପଢ଼ା ଏବଂ ପେଟର ଦାନା ଯୋଗାଡ଼ କରିବାକୁ ଜ୍ୟୋତ୍ସ୍ନାମୟୀଙ୍କୁ ପ୍ରତିଦିନ ମୂଲ ଲାଗିବାକୁ ପଡ଼ୁଛି। କଷ୍ଟାର୍ଜିତ ରୋଜଗାରରେ ପରିବାର ଚଳାଇବା ସହ ସେ ପିଲାଙ୍କ ମୁହଁରେ ଆସନ୍ତାକାଲିର ସ୍ବପ୍ନ ବୁଣୁଛନ୍ତି।
ସରକାର ମହିଳାମାନଙ୍କୁ ସାବଲମ୍ବୀ କରିବାକୁ ‘ସୁଭଦ୍ରା ଯୋଜନା’ର ବାହାବା ନେଉଥିବା ବେଳେ ଜ୍ୟୋତ୍ସ୍ନାମୟୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି। ସରକାରୀ ରେକର୍ଡରେ ତାଙ୍କ ନାମରେ ୧୫ ଏକର ଚାଷଜମି ଥିବା ଦର୍ଶାଯାଇ ତାଙ୍କୁ ଏହି ସହାୟତାରୁ ବଞ୍ଚିତ କରାଯାଇଛି। ସମ୍ପୂର୍ଣ୍ଣ ଅଭାବ ଓ ଅନାଟନ ମଧ୍ୟରେ ଅନ୍ୟର ଆଶ୍ରୟରେ ଦିନ କାଟୁଥିବା ଜଣେ ମୂଲିଆ ମହିଳା ପାଖରେ ୧୫ ଏକର ଜମି କେଉଁଠୁ ଆସିଲା? ପ୍ରଶାସନର ଏହି କାଗଜପତ୍ରୀ ଭୁଲ୍ ଏବଂ ଦାୟିତ୍ୱହୀନତା ଯୋଗୁଁ ଆଜି ଜଣେ ହକ୍‌ଦାର ମହିଳା ନିଜର ପ୍ରାପ୍ୟରୁ ବଞ୍ଚିତ ହେଉଛନ୍ତି।
ସବୁଠାରୁ ଦୁଃଖର ବିଷୟ ହେଉଛି, ନିଜର ବୋଲି ଖଣ୍ଡିଏ ମୁଣ୍ଡ ଗୁଞ୍ଜିବାକୁ ଘର ନ ଥିବାରୁ ଜ୍ୟୋତ୍ସ୍ନାମୟୀ ଅନ୍ୟତ୍ର ଆଶ୍ରୟ ନେଇ ଦିନ କାଟୁଛନ୍ତି। ଖରା, ବର୍ଷା ଓ ଶୀତରେ ପିଲାମାନଙ୍କୁ ଧରି ସେ ଦୁର୍ଦ୍ଦଶା ଭୋଗୁଥିଲେ ହେଁ ସ୍ଥାନୀୟ ପ୍ରଶାସନିକ କଳ କିମ୍ବା ଜନପ୍ରତିନିଧିଙ୍କ ନଜର ଏପର୍ଯ୍ୟନ୍ତ ଏହି ଗରିବ ପରିବାର ଉପରେ ପଡ଼ିନାହିଁ।
ଜଣେ ନିରକ୍ଷର ଓ ଅସହାୟ ବିଧବା ମହିଳାଙ୍କ ନାମରେ ଭୁଲ୍ ତଥ୍ୟ ଆଧାରରେ ୧୫ ଏକର ଜମି ଦର୍ଶାଯାଇଥିବା ବେଳେ ଏହାର କ୍ଷେତ୍ରସ୍ତରୀୟ ଯାଞ୍ଚ (Ground Verification) କାହିଁକି କରାଗଲା ନାହିଁ?
କେବଳ କାଗଜପତ୍ରର ଅଜବ ଜାଲିଆତି ଓ ତ୍ରୁଟି ଯୋଗୁଁ ଜଣେ ନିଷ୍ପେସିତ ମହିଳାଙ୍କୁ ସରକାରୀ ଯୋଜନାରୁ ବଞ୍ଚିତ କରିବା କେଉଁ ପ୍ରକାରର ସାମାଜିକ ନ୍ୟାୟ?
ଅଭାବରେ ଦିନ କାଟୁଥିବା ଏହି ପରିବାରକୁ ତୁରନ୍ତ ଆବାସ ଯୋଜନା ଓ ସୁଭଦ୍ରା ଯୋଜନାରେ ସାମିଲ କରାଯିବ ନା ନାଲିଫିତା ତଳେ ଫାଇଲ୍ ସେମିତି ଚାପି ହୋଇ ରହିବ?
ଜ୍ୟୋତ୍ସ୍ନାମୟୀ ନିଜର ଦୁଃଖ ପ୍ରକାଶ କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏବେ ଦେଖିବାକୁ ବାକି ରହିଲା, ଜିଲ୍ଲା ପ୍ରଶାସନ କେବେ ନିଦରୁ ସେଚତନ ହେଉଛି ଏବଂ ଏହି ଅସହାୟ ମହିଳାଙ୍କୁ ତାଙ୍କର ପ୍ରାପ୍ୟ ହକ୍ ଓ ନ୍ୟାୟ ପ୍ରଦାନ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories