ଜମନକିରା ପଞ୍ଚାୟତ ସମିତି ପକ୍ଷରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ: ସେବା ସଂକଳ୍ପ ଅଭିଯାନରେ ସ୍ୱାସ୍ଥ୍ୟ ଶିବିର ଓ ସହାୟକ ଉପକରଣ ବଣ୍ଟନ
ଜମନକିରା : ଜମନକିରା ପଞ୍ଚାୟତ ସମିତି ଅଧୀନରେ ‘ସେବା ସଂକଳ୍ପ ଅଭିଯାନ’ ମାଧ୍ୟମରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଶ୍ରଦ୍ଧା ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ କଲ୍ୟାଣ, ସ୍ୱାସ୍ଥ୍ୟ ସୁରକ୍ଷା ତଥା ସାମାଜିକ ନିରାପତ୍ତା ଉଦ୍ଦେଶ୍ୟରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଦିବସ ପୂର୍ବ ସନ୍ଧ୍ୟାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା, ଯେଉଁଥିରେ ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏହା ସହିତ ଆୟୋଜିତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରରେ ୫୩ ଜଣ ବରିଷ୍ଠ ନାଗରିକ ନିଜର ନାମ ପଞ୍ଜୀକରଣ କରି ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଚିକିତ୍ସା ସେବା ଲାଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ୧୫ ଜଣ ନୂତନ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁର କରାଯାଇ ପ୍ରଦାନ କରାଯାଇଥିଲା। ଏହା ସହିତ ବରିଷ୍ଠ ନାଗରିକମାନଙ୍କ ସୁବିଧା ନିମନ୍ତେ ଅଣ୍ଟା ବେଲ୍ଟ, ଆଣ୍ଠୁ କ୍ୟାପ୍ ଏବଂ ଚାଲିବା ସହାୟକ ଉପକରଣ (ୱାକର) ଆଦି ବଣ୍ଟନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ରବୀନ୍ଦ୍ର କୁମାର ସେଠୀ, ବିଏସଏସଓ ରଞ୍ଜିତ କୁମାର ସାହୁ ଏବଂ ବିଜେପିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବା ସହ ସହଯୋଗ କରିଥିଲେ। ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁସ୍ଥ ଜୀବନ ଓ ଆତ୍ମନିର୍ଭରଶୀଳତାକୁ ସୁନିଶ୍ଚିତ କରିବା ହିଁ ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ ପାଇଛି।

