ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଇଣ୍ଟର୍ନ ଡାକ୍ତରଙ୍କ କାର୍ଯ୍ୟବନ୍ଦ: ରୋଗୀ ସେବା ବ୍ୟାହତ ।
ବଲାଙ୍ଗୀର,୧।୧୦: ବଲାଙ୍ଗୀର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଇଣ୍ଟର୍ନ ଡାକ୍ତରମାନେ ହଠାତ୍ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ଯୋଗୁଁ ରୋଗୀ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଆଜି ସକାଳୁ ଇଣ୍ଟର୍ନ ଡାକ୍ତରମାନେ ଡ୍ୟୁଟିରୁ ଓହରି ଯାଇଥିବାରୁ ଜରୁରୀକାଳୀନ ବିଭାଗ ସମେତ ବିଭିନ୍ନ ୱାର୍ଡରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଗତକାଲି ମେଡିକାଲ କଲେଜ ଅଡିଟୋରିୟମରେ ‘ନୂଆଖାଇ ଭେଟଘାଟ’ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଚାଲିଥିବା ସମୟରେ କୌଣସି କାରଣକୁ ନେଇ ସୁରକ୍ଷାକର୍ମୀ (ସିକ୍ୟୁରିଟି ଗାର୍ଡ) ଏବଂ ଡାକ୍ତରୀ ଛାତ୍ରଙ୍କ ମଧ୍ୟରେ ବଚସା ଓ ପରେ ମାରପିଟ୍ ହୋଇଥିଲା। ଏହି ଅପ୍ରୀତିକର ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ କେତେକ ଡାକ୍ତରୀ ଛାତ୍ର ଲକ୍ଷ୍ମୀଜୋର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।
ଅନ୍ୟପଟେ, ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ହସ୍ପିଟାଲ ଅଧ୍ୟକ୍ଷ ନିଜ ଚେମ୍ବରରେ ସୁରକ୍ଷାକର୍ମୀ, ଡାକ୍ତରୀ ଛାତ୍ର ଏବଂ ଇଣ୍ଟର୍ନ ଡାକ୍ତରମାନଙ୍କୁ ଡାକି ଆଲୋଚନା ଓ ବୁଝାସୁଝା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଉପରେ ଆଖପାଖର ୪ ରୁ ୫ଟି ଜିଲ୍ଲାର ଶହ ଶହ ରୋଗୀ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି। ତେଣୁ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ଡାକ୍ତରୀ ସେବା ସ୍ୱାଭାବିକ କରିବାକୁ ସାଧାରଣରେ ଦାବି ହୋଇଛି।

