ବଡ଼ରମା ସେବାଶ୍ରମ ବିଦ୍ୟାଳୟ କୋଠା ନିର୍ମାଣରେ ବ୍ୟାପକ ଅନିୟମିତତା: କାମ ଶେଷ ପର୍ଯ୍ୟାୟରେ, ସୂଚନା ଫଳକ ଖାଲି; ୨୩୮ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ, ଜେଇ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବିରୋଧରେ ତୀବ୍ର ଅସନ୍ତୋଷ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ବଡ଼ରମା ପଞ୍ଚାୟତ ସଦର ମହକୁମା ସ୍ଥିତ ସରକାରୀ ସେବାଶ୍ରମ ବିଦ୍ୟାଳୟ ପରିସରରେ କୁଚିଣ୍ଡା ଆଇଟିଡିଏ ପକ୍ଷରୁ ନିର୍ମାଣାଧୀନ ଦୁଇ ମହଲା କୋଠା କାର୍ଯ୍ୟରେ ଚରମ ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ଉଠିଛି। ଉକ୍ତ ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୩୮ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ସେମାନଙ୍କ ଶ୍ରେଣୀଗୃହ ସମସ୍ୟା ଦୂର କରିବା ପାଇଁ ଗତ ଜାନୁଆରୀ- ଫେବୃଆରୀ ମାସରୁ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। କାମ ଆରମ୍ଭ ହେବାର ଆଜକୁ ୮ ମାସରୁ ଅଧିକ ହୋଇଯାଇଥିବା ବେଳେ କୋଠାର କାନ୍ଥ ଓ ଛାତ ନିର୍ମାଣ ସରି କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ହେଁ, ନିୟମ ଅନୁଯାୟୀ ଏଠାରେ ପ୍ରକଳ୍ପର ଅଟକଳ ମୂଲ୍ୟ, କାର୍ଯ୍ୟାଦେଶ ଅବଧି, ପ୍ରକଳ୍ପ ଆରମ୍ଭ, ଶେଷ କିମ୍ବା ଠିକାଦାରଙ୍କ ବିବରଣୀ ଥିବା କୌଣସି ସୂଚନା ଫଳକ ଲେଖାଯାଇ ନାହିଁ। ନିର୍ମିତ ସୂଚନା ଫଳକଟି ସମ୍ପୂର୍ଣ୍ଣ ଧଳା ଓ ଖାଲି ପଡ଼ିଥିବାରୁ ଏହା ପଛରେ ବ୍ୟାପକ ଆର୍ଥିକ ତୋଷରପାତ ଓ ଗୋପନୀୟତା ରଖିବାର ଅଭିସନ୍ଧି ଥିବା ସ୍ପଷ୍ଟ ଜଣାପଡ଼ୁଛି।
ଏହି କାର୍ଯ୍ୟର ସ୍ୱଚ୍ଛତା ଓ ସ୍ଥାୟୀତ୍ୱକୁ ନେଇ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବାସନ୍ତୀ ରାୟ, ଉପ-ସଭାପତି ଅନୀତା ମହାକୁଳ, ସଭ୍ୟ ସୁଶାନ୍ତ ସାହୁ, ଅଲ୍ଲୀ ଘାଟୁଆଲ ଓ ସଭ୍ୟ ପ୍ରମୁଖ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି। କମିଟି ଅଭିଯୋଗ କରିଛି ଯେ ସୂଚନା ଫଳକ ନଥିବାରୁ କାମ କେତେ ଅଟକଳ ଟଙ୍କାରେ ହେଉଛି ଏବଂ କିଭଳି ମାନର ହେଉଛି ତାହା ଜାଣିବା ସମ୍ଭବ ହେଉନାହିଁ, ଯାହାକି ଛାତ୍ରଛାତ୍ରୀଙ୍କ ଜୀବନ ସହ ସିଧାସଳଖ ଖେଳ ଖେଳିବା ସଦୃଶ। ଅନ୍ୟପକ୍ଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗଦୀଶ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କେବଳ ପ୍ରଥମେ ଜାଗା ଚିହ୍ନଟ କରିବା ବେଳେ ବିଭାଗ କଥା ହୋଇଥିଲା, ମାତ୍ର ତା’ ପରେ କାର୍ଯ୍ୟ ବାବଦରେ କିମ୍ବା ଅନୁଦାନ ଅର୍ଥ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କିଛି ମଧ୍ୟ ଜଣାଯାଇ ନାହିଁ। ବିଭାଗ ଓ ଠିକାଦାର ନିଜ ଇଚ୍ଛା ମୁତାବକ କାମ କରି ଚାଲିଛନ୍ତି। ଏହି ଅବହେଳା ପଛରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ସେପଟେ ଅଭିଯୋଗ ସମ୍ପର୍କରେ କୁଚିଣ୍ଡା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋପୀନାଥ କାଲୋଙ୍କୁ ପଚାରିବାରୁ, ସେ କାମ ଠିକ୍ ଚାଲିଛି ବୋଲି ଦାବି କରିବା ସହ ସୂଚନା ଫଳକ ଏପର୍ଯ୍ୟନ୍ତ ନଲେଖା ହେବା କଥା ସ୍ୱୀକାର କରି ଖୁବ୍ ଶୀଘ୍ର ଲେଖାଯିବ ବୋଲି ସଫେଇ ଦେଇଛନ୍ତି। ତେବେ କାମ ଶେଷ ହେବାକୁ ବସିଥିବା ବେଳେ ଏପରି ବେପରୁଆ ଉତ୍ତରକୁ ନେଇ ସାଧାରଣରେ ଆଲୋଚନା ଜୋର୍ ଧରିଥିବା ବେଳେ ଜିଲ୍ଲା ପ୍ରଶାସନ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

