Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡାରେ ‘ପ୍ରତିଭା ବିକାଶ ଅଭିଯାନ’ର ୨୪ତମ ବାର୍ଷିକୋତ୍ସବ: ଗାନ୍ଧୀ ଜୟନ୍ତୀରେ ପ୍ରତିଭା ଚୟନ ଓ ପୁରସ୍କାର ବିତରଣ ସମାରୋହ

ଜମନକିରା : ସ୍ଥାନୀୟ ଉପଖଣ୍ଡସ୍ତରୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ତଥା ଶାସ୍ତ୍ରୀ ଜୟନ୍ତୀ ପବିତ୍ର ଅବସରରେ ‘ପ୍ରତିଭା ବିକାଶ ଅଭିଯାନ’ ପକ୍ଷରୁ ୨୪ତମ ବାର୍ଷିକ ପ୍ରତିଭା ଚୟନ ଏବଂ ଭବ୍ୟ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ସାରସ୍ୱତ ସମାରୋହରେ କୁଚିଣ୍ଡା ସହ-ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ସାହୁ ସଭାପତିତ୍ୱ କରିଥିଲେ। ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ସାନ୍ତନୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଆଦର୍ଶ ତଥା ଦେଶମାତୃକା ପ୍ରତି ସେମାନଙ୍କ ତ୍ୟାଗ ଓ ସଂଗ୍ରାମ ବିଶ୍ୱ ଦରବାରରେ ଚିରସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ। ଅବସରପ୍ରାପ୍ତ ସିନେ ସମ୍ପାଦକ ଡ. ଦିଲୀପ ପାଣି ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଷ୍ଠା ଓ ସଦାଚାରର ପଥ ଅନୁସରଣ କରିବାକୁ ଉଦ୍‌ବୋଧନ ଦେଇଥିଲେ। ସେହିପରି ଅବସରପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ଏବଂ କୁନ୍ତରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ପରିଚାଳକ ଡା. ସତ୍ୟବ୍ରତ ଦୋରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବୃଦ୍ଧି କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଜାରୀ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ରଖିଥିଲେ। କ୍ରୀଡ଼ା ଅଧ୍ୟାପକ ଦେବେନ୍ଦ୍ର ନାଏକ ଅଭିଯାନର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂଯୋଜକ ରମେଶ କିସାନ ସଙ୍ଗଠନର ପୂର୍ବ କାର୍ଯ୍ୟାବଳୀ ଓ ସଦସ୍ୟ ସହଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ଆବାହକ ପ୍ରଭାତ ବେହେରା ବିଗତ ୨୪ ବର୍ଷ ଧରି ସଦସ୍ୟମାନଙ୍କ ନିରନ୍ତର ସହଯୋଗରେ ସଫଳତାର ସହ ଆଗେଇ ଚାଲିଥିବା ଅଭିଯାନର ଲକ୍ଷ୍ୟ ଓ ଆଭିମୁଖ୍ୟ ବିଷୟରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି ଅବସରରେ କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ତଥା ସମଗ୍ର ବ୍ଲକରୁ ସମୁଦାୟ ୨୭୮ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ସାଧାରଣ ଜ୍ଞାନ ପରୀକ୍ଷା, ଫୁଲତୋଡ଼ା ନିର୍ମାଣ, ଏକକ ଅଭିନୟ ଏବଂ ଝୋଟି-ରଙ୍ଗୋଲି ପ୍ରଭୃତି ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୪୬ ଜଣ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ କରକମଳରେ ଟ୍ରଫି, ମାନପତ୍ର ଓ ଆର୍ଥିକ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ମଞ୍ଚରେ ସ୍ୱର୍ଗତ ଶୁଭମ ଗଡ଼ତିଆ ସ୍ମୃତି ପୁରସ୍କାର, ଭାଗଚାନ୍ଦ ଅଗ୍ରୱାଲା ସ୍ମୃତି ପୁରସ୍କାର, ସୁବୋଧ ଶର୍ମା ସ୍ମୃତି ପୁରସ୍କାର, ଭବାନୀ ଦାସ ସ୍ମୃତି ପୁରସ୍କାର ଏବଂ ଅଶୋକ ନାଏକ ସ୍ମୃତି ପୁରସ୍କାର ସମେତ ସଂଗଠନର ବିଭିନ୍ନ ଶୁଭେଚ୍ଛୁ ସଦସ୍ୟଙ୍କ ତରଫରୁ ବହୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଶିକ୍ଷକ ନେତା ସୁଗତ ପଟେଲ, ବରିଷ୍ଠ ଶିକ୍ଷକ କୈଳାସ ପଟେଲ, ଶରତ ପଶାୟତ, ସଞ୍ଜୟ ନାଗ, ଭୈରବ ସାହୁ, ମନୋଜ ମଲ୍ଲିକ, ରାଜେଶ ପ୍ରଧାନ, ତନୟା ହଂସଙ୍କ ସମେତ ଅନେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ଏହି ଗୌରବମୟ ସମାରୋହ ଉଦ୍‌ଯାପିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories