Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଲିସ ବେଶରେ ଡକାୟତି: ୮ ଡକାୟତ ଗିରଫ, ୪ ଦେଶୀ ବନ୍ଧୁକ ସହ ପୁଲିସ ପୋଷାକ ଜବତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ଗତ ୬ ତାରିଖରେ ବାଲିଗଟା ଅଞ୍ଚଳରେ ୮ ଡକାୟତ ପୁଲିସ ପୋଷାକରେ ଆସି ପୁଲିସ ପରିଚୟ ଦେଇ ରାତି ୧୧ ଟା ବେଳେ ଡକାୟତି କରୁଥିବା ବେଳେ ଗାଁ ଲୋକଙ୍କ ଦ୍ୱାରା ଧରା ପଡିଥିଲେ ଏବଂ ନିର୍ଧୁମ ଛେଚା ଖାଇଥିଲେ। ଏହାପରେ ସକାଳେ ଫିରିଙ୍ଗିଆ ଥାନାକୁ ଗାଁ ଲୋକେ ଖବର ଦେଇଥିଲେ। ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ଭୟଭୀତ କରି ୨ ଜଣ ଜଙ୍ଗଲରେ ପଶିଯାଇଥିଲେ। ଉତ୍ୟକ୍ତ ଗାଁ ଲୋକେ ରାତି ତମାମ ଜଙ୍ଗଲକୁ ଘେରି ରହିଥିଲେ। ସକାଳେ ଫିରିଙ୍ଗିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସେହି ୨ ଜଣକୁ ଉଦ୍ଧାର କରିଥିଲେ। ୭ ତାରିଖ ସନ୍ଧ୍ୟା ସୁଦ୍ଧା ପୁଣି ଜଙ୍ଗଲରୁ ୪ ଜଣକୁ ଗାଁ ଲୋକଙ୍କ ସାହାଯ୍ୟରେ ଧରିଥିଲେ। ସନ୍ଧ୍ୟା ହୋଇଥିଲେ ମଧ୍ୟ ପୁଣି ଜଙ୍ଗଲରେ ୭ ରୁ ୮ ଜଣ ଡକାୟତ ଲୁଚି ରହିଥିଲେ। ପୁଣି ୨ ଜଣକୁ ଜଙ୍ଗଲରୁ ଲୋକଙ୍କ ସାହାଯ୍ୟରେ ଧରି ଫିରିଙ୍ଗିଆ ଥାନାକୁ ଆଣିଥିଲେ। ୩ ଦିନ ଭିତରେ ୮ ଜଣ ଡକାୟତକୁ ଗିରଫ କରିଥିଲେ ବୋଲି ଫିରିଙ୍ଗିଆ ଥାନାରେ ସଦର ଏସଡିପିଓ ସୁପ୍ରସନ ମଲିକ ଓ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି। କଟକ ଜିଲା ଆଠଗଡ଼ ଥାନା ତୈଳମାହା ଗାଁର ଅଶୋକ କୁମାର ରାଉତ, ସିପୁଲ କୁମାର କବି, ମାନଭଞ୍ଜ ପ୍ରଧାନ ସମସ୍ତେ କଟକ ଜିଲାର ବୋଲି ପୁଲିସ ସୂଚନା ଦେଇଛି l ସେହିପରି କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ବାଲିଗଟା ଗାଁର ଜୋସେଫ ଦିଗାଲ, ଅଙ୍ଗଦ ଦିଗାଲଙ୍କ ସମେତ ଫିରିଙ୍ଗିଆ ଥାନା ସରୁକୋଇ ଗାଁର ରଞ୍ଜନ ସାହାଣୀ, କଡୁ ରାହା ଗାଁର କୀର୍ତିମ ଦିଗାଲ ଓ ଫୁଲବାଣୀ ଟାଉନ ଥାନା କେନ୍ଦୁ ପଦର ଗାଁର ଶଙ୍କର ଦିଗାଲ ବୋଲି ଏହି ଡକାୟତି ମାମଲାରେ ସାମିଲ ଥିବା ଜଣାପଡ଼ିଛି। ଡକାୟତିରେ ବ୍ୟବହୃତ ପାସେଞ୍ଜର ବୋଲେରୋ, ଡାଲା ବୋଲେରୋ ସହ ୪ ଟି ଦେଶୀ ବନ୍ଧୁକ, ଗୋଟିଏ ମାଉଜର, ୪ଟି ଜୀବନ୍ତ ଗୁଳି, ପୁଲିସ ପୋଷାକ, ନଗଦ ଟଙ୍କା, ମୋବାଇଲ, ମରଣାସ୍ତ୍ର ସହ ଅନ୍ୟାନ୍ୟ ଜିନିଷ ଜବତ କରିଛି l ଫିରିଙ୍ଗିଆ ଥାନାରେ ଏକ ଡକାୟତି ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ବିଷୟ ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ