ମୁରିବାହାଲ: କ୍ରେନ୍କୁ ପଛପଟୁ ପିଟିଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ।
ବଲାଙ୍ଗୀର,୭।୧୦: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ କୁର୍ଲୁବାହାଲ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କ୍ରେନ୍କୁ ପଛପଟୁ ବାଇକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଅକାଳରେ ଚାଲିଯାଇଛି ବାଇକ୍ ଚାଳକଙ୍କ ଜୀବନ।
ମୃତ ବାଇକ୍ ଚାଳକ ଜଣକ କଣ୍ଟାବାଞ୍ଜି ସ୍ଥିତ ଚଟୁଅନକା ଗ୍ରାମର ଚନ୍ଦ୍ର ବଏ (୫୫) ବୋଲି ସୂଚନା ମିଳିଛି।
ମିଳିଥିବା ଖବର ଅନୁସାରେ, ଚନ୍ଦ୍ର ବଏ ନିଜର ଏଚ୍.ଏଫ୍. ଡିଲକ୍ସ ବାଇକ୍ ଯୋଗେ କଣ୍ଟାବାଞ୍ଜି ଆଡ଼କୁ ଯାଉଥିଲେ। ସେ ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ବେଳେ, କୁର୍ଲୁବାହାଲ ଛକରୁ ପ୍ରାୟ ୧୦୦ ମିଟର ଦୂର ଶାଗୁଆନ ବଗିଚା ନିକଟରେ ସାମ୍ନାରେ ଯାଉଥିବା ଏକ କ୍ରେନ୍କୁ ପଛପଟୁ ଜୋରଦାର ଧକ୍କା ଦେଇଥିଲେ। ଆଘାତ ଗୁରୁତର ହୋଇଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଖବର ପାଇ ମୁରିବାହାଲ ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

