ସଇଁନ୍ତଲାରେ ଭୟଙ୍କର ସିରିଜ୍ ଦୁର୍ଘଟଣା: ୩ ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ ଡ୍ରାଇଭରଙ୍କ ମୃତ୍ୟୁ ।
ବଲାଙ୍ଗୀର,୯।୧୦: ବଲାଙ୍ଗୀର-ବୋରିଗୁମା ୨୬ ନମ୍ବର ଜାତୀୟ ରାଜପଥ ସଇଁନ୍ତଲାର ନବୀନ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଭୋର ପ୍ରାୟ ୪ଟା ସମୟରେ ୩ଟି ଲୁହା ବୋଝେଇ ଟ୍ରକ୍ ମଧ୍ୟରେ ସିରିଜ୍ ଦୁର୍ଘଟଣା (ମୁହାଁମୁହିଁ ଧକ୍କା) ହେବା ଫଳରେ ଘଟଣାସ୍ଥଳରେ ହିଁ ଜଣେ ଟ୍ରକ୍ ଡ୍ରାଇଭରଙ୍କ ଜୀବନ ଚାଲିଯାଇଛି।
ସୂଚନା ଅନୁଯାୟୀ, ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଟ୍ରକ୍ ଗୁଡ଼ିକର ଅଗ୍ରଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି ଏବଂ ଗୋଟିଏ ଟ୍ରକ୍ ରାସ୍ତା କଡ଼କୁ ଓଲଟି ପଡ଼ିଛି। ଦୁର୍ଘଟଣା ପରେ ଅନ୍ୟ ଦୁଇଟି ଟ୍ରକ୍ର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ସଇଁନ୍ତଲା ଥାନା ପୋଲିସ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଗାଡ଼ି ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।

