Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୃଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ଓ ସର୍ଭେ ନିମନ୍ତେ ମୁଖ୍ୟ ପ୍ରଶିକ୍ଷକଙ୍କ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୦/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାରେ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସର୍ଭେ କାର୍ଯ୍ୟକୁ ସୁବ୍ୟବସ୍ଥିତ ଓ ସଠିକ୍ ଭାବେ ସମ୍ପାଦନ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ମୁଖ୍ୟ ପ୍ରଶିକ୍ଷକମାନଙ୍କ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ସମସ୍ତ ବ୍ଲକ୍‌ର ବିଡିଓ (BDO), ଜିପିଡିଓ (GPDO), ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଏବଂ ବୁଥ୍‌ସ୍ତରୀୟ ଅଧିକାରୀ (BLO)ମାନେ ଯୋଗଦେଇଥିଲେ।ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଗାମୀ ନିର୍ବାଚନ ପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଭୋଟର ସର୍ଭେ କାର୍ଯ୍ୟକୁ ସଠିକ୍ ଭାବେ ପରିଚାଳନା କରିବା ସହ ଏକ ସ୍ୱଚ୍ଛ, ନିର୍ଭୁଲ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଯୋଗ୍ୟ ନାଗରିକଙ୍କ ନାମ ତାଲିକାରେ ସାମିଲ କରିବା, ଭୋଟରଙ୍କ ତଥ୍ୟ ଯାଞ୍ଚ କରିବା ଏବଂ ତାଲିକାରେ ଥିବା ତ୍ରୁଟିଗୁଡ଼ିକୁ ଚିହ୍ନଟ କରିବା ଦିଗରେ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲାଏହି ପ୍ରଶିକ୍ଷଣ ମାଧ୍ୟମରେ ସର୍ଭେ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ଦାୟିତ୍ୱର ସହ କାର୍ଯ୍ୟ ସମ୍ପାଦନ କରିବା ସହ ଘର ଘର ବୁଲି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଅବଗତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

*ଦ୍ୱିତୀୟ ଦିବସରେ ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ* ପାରଳାଖେମୁଣ୍ଡି,ତା.୧୧.୧୧.୨୦୨୬ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ସ୍ଥିତ ସରକାରୀ ଏସ୍‌.ଏସ୍‌.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ଭଲିବଲ୍ ପ୍ରତିଯୋଗିତା (୨୦୨୬-୨୭) ଦ୍ୱିତୀୟ ଦିବସରେ ଉତ୍ସାହ ସହ ଅନୁଷ୍ଠିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇ ନିଜ ନିଜର କ୍ରୀଡ଼ା ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ପ୍ରତିଯୋଗିତାର ସୁପରିଚାଳନା ପାଇଁ ମୋଟ ୫ଟି ଖେଳ ପଡ଼ିଆ ବା କୋର୍ଟର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ କୋର୍ଟରେ ପ୍ରାୟ ୧୨ରୁ ୧୫ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିବାବେଳେ ସମସ୍ତ ଖେଳାଳି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିଥିଲେ। ଦ୍ୱିତୀୟ ଦିବସର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲ୍‌ଗୁନୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ମାୟାଧର ସାହୁ ଯୋଗଦେଇଥିଲେ। ସେହିପରି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ୍‌. ଗିରିଧର, ମୋହନା ଓ ଆର୍‌. ଉଦୟଗିରି ବ୍ଲକ୍‌ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବୀରେନ୍ଦ୍ର ମଣ୍ଡଳ, ରାୟଗଡ଼ ତହସିଲଦାର ଶ୍ରୀ ସୁକାନ୍ତ ପ୍ରଧାନ ଏବଂ କନ୍ଧମାଳ ଜିଲ୍ଲାର ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ବୃହତ୍ କ୍ରୀଡ଼ା ଆୟୋଜନକୁ ସଫଳ ଓ ସୁସଂଗଠିତ କରିବାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ କ୍ରୀଡ଼ା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସକ୍ରିୟ ସହଯୋଗ ଓ ଉପସ୍ଥିତି ବେଶ୍ ପ୍ରଶଂସନୀୟ ହୋଇଥିଲା।କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ସରକାରୀ ଏସ୍‌.ଏସ୍‌.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାୟଗଡ଼ର କ୍ରୀଡ଼ା ଶିକ୍ଷକ ଶ୍ରୀ ସନ୍ତୋଷ ପଣ୍ଡା ପରିଚାଳନା କରିଥିଲେ। ଶେଷରେ ଗଜପତି ଜିଲ୍ଲାର ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଉପସ୍ଥିତ ସମସ୍ତ ଅତିଥି, ଆୟୋଜକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।