ଚଳନ୍ତା ୧୦୮ ଆମ୍ବୁଲାନ୍ସରେ ଦେଖାଗଲା ମାନବତାର ଅପରୂପ ଚିତ୍ର: ଫାର୍ମାସିଷ୍ଟଙ୍କ ସାହସ ଓ ତତ୍ପରତାରୁ ସୁରକ୍ଷିତ ପ୍ରସବ, ମା’ ଓ ନବଜାତ ଶିଶୁ ସୁସ୍ଥ ।
ବଲାଙ୍ଗୀର,୧୧।୧୦: ଜରୁରୀକାଳୀନ ସେବାରେ ମାନବତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ତତ୍ପରତା ଓ ସାହସିକତା ଯୋଗୁଁ ଏକ ଜଟିଳ ପରିସ୍ଥିତିରେ ଜଣେ ପ୍ରସୂତିଙ୍କ ସୁରକ୍ଷିତ ପ୍ରସବ କରାଯାଇପାରିଛି। ଏହି ସଫଳତା ପରେ ମା’ ଓ ନବଜାତ ଶିଶୁ କନ୍ୟା ଉଭୟ ସୁସ୍ଥ ଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଟେଙ୍ଗରା ଗ୍ରାମରୁ ଜଣେ ଗର୍ଭବତୀ ମହିଳାଙ୍କୁ ଆଣିବା ପାଇଁ ୧୦୮ ଆମ୍ବୁଲାନ୍ସ ସେବାକୁ ଖବର ଦିଆଯାଇଥିଲା। ଖବର ପାଇ ତୁରନ୍ତ ଘଟଣାସ୍ଥଳକୁ ଯାଇ ଗର୍ଭବତୀଙ୍କୁ ହସ୍ପିଟାଲ ଅଭିମୁଖେ ଅଣାଯାଉଥିବା ସମୟରେ ରାସ୍ତାରେ ମହିଳାଙ୍କ ପ୍ରସବ ବେଦନା ଅତ୍ୟନ୍ତ ବଢ଼ିଯାଇଥିଲା। ସ୍ଥିତି ଗମ୍ଭୀର ହେବାରୁ ଆମ୍ବୁଲାନ୍ସ ଭିତରେ ହିଁ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିଥିଲା।
ଜୀବନ ଓ ମୃତ୍ୟୁର ସେହି ମୁହୂର୍ତ୍ତରେ ଆମ୍ବୁଲାନ୍ସରେ ଥିବା ଫାର୍ମାସିଷ୍ଟ ପ୍ରଦୀପ କୁମାର ପୁଟେଲ ନିଜର ବୃତ୍ତିଗତ ଅଭିଜ୍ଞତା ଓ ସାହସ ପ୍ରଦର୍ଶନ କରିଥିଲେ। ତାଙ୍କର ତତ୍ପରତା ଯୋଗୁଁ ଚଳନ୍ତା ଆମ୍ବୁଲାନ୍ସ ଭିତରେ ହିଁ ସୁରକ୍ଷିତ ଭାବେ ଶିଶୁ କନ୍ୟାର ଜନ୍ମ ହୋଇଥିଲା। ଏହାପରେ ତୁରନ୍ତ ମା’ ଓ ଶିଶୁଙ୍କୁ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ଏହି ସମଗ୍ର ମହତ କାର୍ଯ୍ୟରେ ଫାର୍ମାସିଷ୍ଟଙ୍କୁ ଆମ୍ବୁଲାନ୍ସର ସହଯୋଗୀ ନବୀନ ସେଠ ଏବଂ ଚାଳକ ବାବୁଲାଲ ସାହୁ ପୂର୍ଣ୍ଣ ସହଯୋଗ କରିଥିଲେ। ୧୦୮ ଟିମ୍ର ଏପରି ଦାୟିତ୍ୱବୋଧ ଓ ସେବା ଭାବନାକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି। “ସେବା ହିଁ ପ୍ରକୃତ ଧର୍ମ” ବୋଲି ଏହି ଘଟଣା ପୁଣିଥରେ ପ୍ରମାଣିତ କରିଛି।

