ଭକ୍ତି ଓ ଲୋକ ସଂସ୍କୃତିର ଅନନ୍ୟ ସଂଗମ: ସିନ୍ଧେକେଲାରେ ମାଆ ଦ୍ୱାରସେନୀ ଓ ବୁଢ଼ାରଜାଙ୍କ ଦିବ୍ୟ ବିବାହ ତଥା ‘ଡେଙ୍ଗ ସର୍ଗୀ ଯାତ୍ରା’ ଅନୁଷ୍ଠିତ ।
ବଲାଙ୍ଗୀର,୧୨।୧୦: ଆଧ୍ୟାତ୍ମିକ ପରମ୍ପରାର ଏକ ଅନନ୍ୟ ଅଧ୍ୟାୟ ଭାବେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ସିନ୍ଧେକେଲା ଅଧିଷ୍ଠାତ୍ରୀ ଦେବୀ ମାଆ ଦ୍ୱାରସେନୀ ଏବଂ ବୁଢ଼ାରଜାଙ୍କ ଦେବଦାମ୍ପତ୍ୟ ବିବାହ ତଥା ପ୍ରସିଦ୍ଧ ‘ଡେଙ୍ଗ ସର୍ଗୀ ଯାତ୍ରା’ ରବିବାର ଅତ୍ୟନ୍ତ ଉତ୍ସାହ ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଯାତ୍ରା କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ବରଂ ଏହା ମାଟିର ମହକ, ଲୋକବିଶ୍ୱାସ ଏବଂ ସାମାଜିକ ଏକତାର ଏକ ଜୀବନ୍ତ ପ୍ରତିଫଳନ ଅଟେ।
ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି ତଥା ଗତକାଲି ଶକ୍ତି ଓ ପ୍ରକୃତିର ଏହି ମିଳନ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାଜପରିବାର ମୁଖ୍ୟ ସେବାୟତ ଅରୁଣ କୁମାର ସିଂ ଦେଓଙ୍କୁ ରାଜମହଲରୁ ଦେବୀମାଁ ମନ୍ଦିରକୁ ପାଛୁଟି ନିଆଯାଇଥିଲା। ସେଠାରେ ପୂଜାର୍ଚ୍ଚନା ପରେ ଦେବୀଙ୍କ ଆବିର୍ଭାବ ହୋଇଥିଲା। ଟିଟିଲାଗଡ଼ ବ୍ଳକ ପରାସରା ପଞ୍ଚାୟତ ଅନ୍ତର୍ଗତ ଇଚଗାଁ ନିବାସୀ କନ୍ୟାପିତାଙ୍କ ମନ୍ଦିର ଅଭିମୁଖେ ଦେବ ବୁଢ଼ାରଜା ବରବେଶରେ ଯାତ୍ରା କରିଥିଲେ। ଦେହୁରୀ ବିକ୍ରମ ଥନାପତିଙ୍କ ମୁଣ୍ଡରେ ଦେବ ବୁଢ଼ାରଜା ଆବିର୍ଭାବ ହୋଇ ନୂଆ ବସ୍ତ୍ର ପରିଧାନ ପୂର୍ବକ ମୁହଁ ଘୋଡ଼ାଇ ପାର୍ଶ୍ୱଦେବୀ ଛତ୍ରବାହୁତିଙ୍କୁ ସାଙ୍ଗରେ ନେଇ ଛତିଶପାଟକ ପଟୁଆର ଏବଂ ଶୁସଜ୍ଜିତ ପଦଯାତ୍ରା ସହ ଇଚଗାଁ ଅଭିମୁଖେ ବାହାରିଥିଲେ।
କନ୍ୟାପକ୍ଷ ତଥା ଦେହୁରୀ କୁମରମଣି ବେହେରା, ପୂଜକ ବେଗ ଛତ୍ରୀଆ, ପଞ୍ଚୁ ବେହେରା, ଗୌଉତିଆ ଜୟକୃଷ୍ଣ ମାଝୀ, ଦୀନବନ୍ଧୁ ମାଝୀ ଏବଂ ବାହୁତି ସେବାୟତଙ୍କ ସମେତ ଉଭୟ ବର ଓ କନ୍ୟା ପକ୍ଷର ମୁଖ୍ୟ ସେବାୟତ ସଞ୍ଜୟ କୁମାର ସିଂ ଦେଓ, ଉଦିତ ନାରାୟଣ ସିଂ ଦେଓ, ଲଙ୍କଧର ଛାତ୍ରୀଆ, କାଶୀନାଥ ଛାତ୍ରୀଆ, ସୁଶାନ୍ତ ଥନାପତି, ବଶିଷ୍ଠ ମଲ୍ଲିକ, ନିରନ ମଲ୍ଲିକ, ଅଜାମ ଝାଙ୍କର, ଲୋଚନ ଗୁରୁ, ବୈକୁଣ୍ଠ ଥନାପତି ଏବଂ ବାହୁତି ସେବାୟତ ଏକାମ୍ବର ଛତ୍ରୀଆ, ଫୁଲବରିଆ କୀର୍ତ୍ତନ ମାଝୀ, ଟଙ୍କା ରଣା, କମଳ ନାଗ, ଭୀଷ୍ମ ଯାନୀ, ସତ୍ୟନାରାୟଣ ମାଝୀ ପ୍ରମୁଖଙ୍କପକ୍ଷରୁ ପୂର୍ବ ପ୍ରଚଳିତ ଅକ୍ଷୁର୍ଣ୍ଣ ଆଦିବାସୀ ପରମ୍ପରା ତଥା ନୀତିକାନ୍ତି ଅନୁଯାୟୀ ଦେବଦାମ୍ପତ୍ୟଙ୍କ ବିବାହ ବନ୍ଧନ ସମ୍ପନ୍ନ ହୋଇଥିଲା।
ଇଚଗାଁରୁ ଫେରିବା ମାର୍ଗରେ ପରାସର, ବାଲବେଙ୍ଗ, ଅର୍ଶାତୁଲା, କୁଡ଼ିଆମୁଣ୍ଡା, ଦେହେଲି, କାଦୋପଡା, ମଁଗାଁ ଏବଂ ଅଲଣ୍ଡା ସମେତ ବିଭିନ୍ନ ଗ୍ରାମର ଶ୍ରଦ୍ଧାଳୁମାନେ ମୁଖ୍ୟ ରାସ୍ତାର ଦୁଇପାର୍ଶ୍ୱରେ ଛିଡ଼ାହୋଇ ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ମନସ୍କାମନା ପୂରଣ ପାଇଁ ଭକ୍ତମାନେ ପୂଜା ଜୁଗାର ଅର୍ପଣ କରି ଆଶିଷ ଭିକ୍ଷା କରିଥିଲେ। ଏହାପରେ ସିନ୍ଧେକେଲା ପାଦଧୁଆ ମନ୍ଦିରରେ ପାଦଧୁଆ ସାରି, ଫୁଲପିନ୍ଧା ମନ୍ଦିରଠାରେ ଫୁଲପିନ୍ଧା ପର୍ବ ପାଳିତ ହୋଇଥିଲା। ପରବର୍ତ୍ତୀ ସମୟରେ ଛତ୍ରବାହୁତି ମନ୍ଦିର ଏବଂ ମୁଖ୍ୟ ସେବାୟତ ଶ୍ରୀ ସିଂ ଦେଓଙ୍କ ବାସଭବନରେ ବାଡ଼ିଖେଳ ଓ ଖଣ୍ଡାଭଙ୍ଗା ପର୍ବ ଅନୁଷ୍ଠିତ ହୋଇଥିଲା।
ଏହି ଯାତ୍ରାରେ ଚାରିଘରିଆ ଦଳ, ଦେହେଲିଆ, ଫୁଲବରିଆ, ବାଜାବାଲା, କାହାଳି, ତୁରୀ, ମୁହୁରୀ, ଢୋଲିଆ, ନିଶିନିଆ, ତସା, ଦୁଲୁଦୁଲି ଏବଂ ଘଣ୍ଟବାଦ୍ୟର ତାଳେ ତାଳେ ଶତାଧିକ ସେବାୟତ ସାମିଲ ହୋଇଥିଲେ। ଦେବଦାମ୍ପତ୍ୟଙ୍କ ଏହି ବିବାହ ସମ୍ପନ୍ନ ହେବା ପରେ ପୀଠରେ ନବରାତ୍ର ଜାଗର ଆରମ୍ଭ ହୋଇଯାଇଛି। ଏହି ଐତିହାସିକ ତଥା ଲୋକପ୍ରିୟ ପର୍ବରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସମ୍ମାନିତ ଅତିଥିମାନେ ଯୋଗଦାନ କରିଥିଲେ।

