ବଞ୍ଚିଥିଲା ବେଳେ ମିଳିଲାନି ସରକାରୀ ସହାୟତା, ମରିଗଲା ପରେ ପ୍ରଶାସନର କୁମ୍ଭୀର କାନ୍ଦଣା! ଜରାଜୀର୍ଣ୍ଣ ତାଳଘରୁ ଉଠିଲା ଅସହାୟା ତ୍ରିପୁରାଙ୍କ ଶବ ।
ବଲାଙ୍ଗୀର,୧୨।୧୦: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ସଲତରପାଲି ଗ୍ରାମର ୭୭ ବର୍ଷୀୟା ଅସହାୟ ବୃଦ୍ଧା ତ୍ରିପୁରା ମହାନନ୍ଦଙ୍କ ଦୁର୍ଦ୍ଦଶାଭରା ଜୀବନ ଶେଷରେ ଏକ ଦୁଃଖଦ ଅନ୍ତଃଘଟଣାରେ ପରିଣତ ହୋଇଛି। ଗତ ଅକ୍ଟୋବର ୧୦ ତାରିଖରେ ଏହି ଅସହାୟା ବୃଦ୍ଧା ଜଣକ ଆପାର୍ଥିବ ଶରୀରତ୍ୟାଗ କରିଥିବା ବେଳେ ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ପ୍ରଶାସନ ଓ ବ୍ୟବସ୍ଥାର ମୁଖା ଖୋଲିଯାଇଛି।
ଜୀବିତ ଥିବା ଅବସ୍ଥାରେ ପେଟକୁ ମୁଠାଏ ଦାନା ପାଇଁ ସଂଘର୍ଷ କରୁଥିବା ଏବଂ ବର୍ଷାଦିନେ କାଦୁଅ ପଚ ପଚ୍ ହେଉଥିବା ଏକ ଜରାଜୀର୍ଣ୍ଣ ଚାଳ ଘରେ ଜୀବନ କାଟୁଥିବା ତ୍ରିପୁରାଙ୍କୁ ପ୍ରଶାସନ କିମ୍ବା ସ୍ଥାନୀୟ ପଞ୍ଚାୟତ ପକ୍ଷରୁ କୌଣସି ପ୍ରକାରର ପକ୍କାଘର କିମ୍ବା ଠିକ୍ ଭାବରେ ସହାୟତା ମିଳିପାରି ନଥିଲା। ଗୋଟିଏ ଦିନର ରନ୍ଧାଭାତକୁ ତିନିଦିନ ଧରି ଖାଇ କଷ୍ଟରେ ଦିନ କାଟୁଥିବା ଏହି ବୃଦ୍ଧା ମାଆଙ୍କ ସମସ୍ୟା ସମ୍ପର୍କରେ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଅବଗତ ଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ବ୍ୟତୀତ କିଛି ମିଳିନଥିଲା।
ଶେଷରେ ଗତ ଅକ୍ଟୋବର ୧୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଯିବା ପରେ ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମୃତ ବୃଦ୍ଧାଙ୍କ ଶେଷ ଦର୍ଶନ ପାଇଁ ଶବ ନିକଟରେ ପହଞ୍ଚିଥିଲେ। ମୃତ୍ୟୁ ଅଟଳ ଏବଂ ଏହାକୁ କେହି ଅଟକାଇ ପାରିବେ ନାହିଁ, କିନ୍ତୁ ବୃଦ୍ଧା ଜଣକ ଜୀବିତ ଥିବାବେଳେ ଯଦି ପ୍ରଶାସନ ଓ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କର ସାମାନ୍ୟ ସମବେଦନା କିମ୍ବା କର୍ତ୍ତବ୍ୟ ବୋଧଥାନ୍ତା, ତେବେ ହୁଏତ ତାଙ୍କର ଶେଷ ଜୀବନ ଏତେ ଦୁର୍ବିସହ ହୋଇନଥା’ନ୍ତା ବୋଲି ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଆଜି ବୃଦ୍ଧାଙ୍କ ମୃତ୍ୟୁ ପରେ ନେତା ଓ ପ୍ରଶାସକଙ୍କ ଶେଷ ଦର୍ଶନ ଏବଂ କୁମ୍ଭୀର କାନ୍ଦଣା କେବଳ ଏକ ଦେଖଣାହାରି ନାଟକ ପାଲଟିଛି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି। ପ୍ରଶାସନର ଏଭଳି ନିଦାବିଷ୍ଣୁ ନୀତି ଓ ଅବହେଳା ଯୋଗୁଁ ଆଉ ଜଣେ ଅସହାୟା ଜୀବନ ହାରିବା ପରେ ପ୍ରଶାସନିକ ବ୍ୟବସ୍ଥା ପ୍ରତି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

