କଣ୍ଟାବାଞ୍ଜିରେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ।
ବଲାଙ୍ଗୀର,୧୨।୧୦:ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ୧୫ ନମ୍ବର ୱାର୍ଡ ଝାଙ୍କରପଡ଼ାରେ ଏକ ଅଭାବନୀୟ ତଥା ରହସ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିବାବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ପକ୍ଷରୁ ଦୃଢ଼ ଅଭିଯୋଗ କରାଯାଇଛି।
ମୃତକ ଜଣକ ହେଲେ ନିକିତା ମହାନନ୍ଦ। ମିଳିଥିବା ସୂଚନା ଅନୁସାରେ, ନିକିତା ଚାରି ବର୍ଷ ପୂର୍ବେ ବିଶାଲ ମୁଣ୍ଡାଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ତାଙ୍କର ମୃତ୍ୟୁ କିପରି ଏବଂ କେଉଁ ପରିସ୍ଥିତିରେ ହେଲା, ସେ ସମ୍ପର୍ଣ୍ଣ ସୂଚନା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଏକ ଆତ୍ମହତ୍ୟା ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ପରିବାରବର୍ଗ ଏହାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରି ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି।
ଘଟଣାସ୍ଥଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଏବଂ ସନ୍ଦେହଜନକ ସ୍ଥିତିକୁ ଦୃଷ୍ଟିରେ ରଖି କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଅପରାଧର ପ୍ରକୃତିକୁ ଅନୁଧ୍ୟାନ କରିବା ପାଇଁ ଏକ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ତଥ୍ୟ ସଂଗ୍ରହ ଓ ଯାଞ୍ଚ କରୁଛି। ମୃତ୍ୟୁର ପ୍ରକୃତ କାରଣ (ଆତ୍ମହତ୍ୟା ନା ହତ୍ୟା) ପୋଲିସର ପୂରା ତଦନ୍ତ ଏବଂ ପୋଷ୍ଟ ମର୍ଟମ୍ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

