ପ୍ରତିଶ୍ରୁତି ଭଙ୍ଗ ଅଭିଯୋଗ: ବଲାଙ୍ଗୀରରେ ଅଙ୍ଗନବାଡ଼ି କର୍ମୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ଆନ୍ଦୋଳନ ଚେତାବନୀ ।
ବଲାଙ୍ଗୀର,୧୨।୧୦: ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ନହେବା ଏବଂ ବୟସ ସୀମା ହ୍ରାସ ପ୍ରତିବାଦରେ ବଲାଙ୍ଗୀର ଜିଲ୍ଲାରେ ଅଙ୍ଗନବାଡ଼ି କର୍ମୀମାନେ ତୀବ୍ର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖି କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ନିର୍ବାଚନ ପୂର୍ବରୁ ସରକାର ଅଙ୍ଗନବାଡ଼ି କର୍ମୀମାନଙ୍କୁ ସରକାରୀ ମାନ୍ୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବର୍ତ୍ତମାନ ସରକାର ସେହି ପ୍ରତିଶ୍ରୁତିରୁ ଓହରିଯିବା ସହ କର୍ମୀମାନଙ୍କ ଅବସର ବୟସ ସୀମାକୁ ୬୨ ବର୍ଷରୁ କମାଇ ୫୫ ବର୍ଷ କରିଦେଇଛନ୍ତି, ଯାହାକୁ ନେଇ କର୍ମୀମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏହି ପ୍ରତିବାଦ ସଭାରେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ର ବଲାଙ୍ଗୀର ଜିଲ୍ଲା ସଭାପତି ବିନୋଦିନୀ ପଟେଲ୍ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ସରକାର ଶୀଘ୍ର ସେମାନଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ଦାବିଗୁଡ଼ିକୁ ପୂରଣ ନ କରନ୍ତି, ତେବେ ଆଗାମୀ ଦିନରେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ଏକତ୍ରିତ ହୋଇ ଭୁବନେଶ୍ୱର ପିଏମଜି ଛକରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଓ ଧାରଣା ଜାରୀ ରଖିବେ।

