ପାଟଣାଗଡ଼ରେ ଅଭାବନୀୟ ଘଟଣା: ଚାଷ ଜମି ପୋଖରୀରୁ ଯୁବକଙ୍କ ନିଖୋଜ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ।
ବଲାଙ୍ଗୀର,୧୨।୧୦:ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଲରମ୍ଭା ଥାନା ଗୋଏଲପିଟା ଗାଁରୁ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି। ଗାଁର ଜଣେ ଯୁବକ ଗତକାଲିଠାରୁ ନିଖୋଜ ରହିଥିବାବେଳେ ଆଜି ସକାଳେ ଏକ ଚାଷ ଜମି ପୋଖରୀରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସହିତ ଶୋକର ଛାୟା ଖେଳିଯାଇଛି।
ପ୍ରାପ୍ତ ସୂଚନା ଅଯାୟୀ, ମୃତ ଯୁବକ ଜଣକ ହେଲେ ରୁଦ୍ରମଣି ବରିହା। ଗତକାଲି ସେ ନିଜ କ୍ଷେତକୁ ଯାଇଥିଲେ, କିନ୍ତୁ ବହୁ ସମୟ ବିତିଯିବା ପରେ ମଧ୍ୟ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ରାତିସାରା ତାଙ୍କର କୌଣସି ସନ୍ଧାନ ମିଳି ନଥିଲା।
ଆଜି ସକାଳେ ଗାଁ ନିକଟସ୍ଥ ଏକ ଚାଷ ଜମି ମଧ୍ୟରେ ଥିବା ପୋଖରୀରେ ରୁଦ୍ରମଣିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ପରିବାରବର୍ଗ ଏବଂ ପୋଲିସକୁ ଖବର ଦେଇଥିଲେ।
ଯୁବକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ପୋଖରୀରେ ଫିଙ୍ଗି ଦିଆଯାଇଥିବା ନେଇ ପରିବାର ପକ୍ଷରୁ ଦୃଢ଼ ଅଭିଯୋଗ ହୋଇଛି। ଖବର ପାଇ ଲରମ୍ଭା ଥାନା ପୋଲିସ ଏବଂ ଏକ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ (Post-mortem) ପାଇଁ ପଠାଇବା ସହ ଘଟଣାର ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।
ଏହା ଏକ ହତ୍ୟାକାଣ୍ଡ କିମ୍ବା ଅନ୍ୟ କୌଣସି ପରିସ୍ଥିତିରେ ମୃତ୍ୟୁ ଘଟିଛି, ତାହା ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ପରବର୍ତ୍ତୀ ତଦନ୍ତ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

