ପାଟଣାଗଡ଼ରେ ପୋଲିସର ବଡ଼ ସଫଳତା: ଜାଇଲୋ ଗାଡ଼ିରୁ ୩ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ମାଫିଆ ଫେରାର ।
ବଲାଙ୍ଗୀର,୧୩।୧୦: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ଭାବେ ଜାଇଲୋ ଗାଡ଼ିରେ ଚାଲାଣ ହେଉଥିବା ୩ କ୍ୱିଣ୍ଟାଲ ୨୧ କେଜି ଗଞ୍ଜେଇକୁ ପୋଲିସ ଜବତ କରିଥିବାବେଳେ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ସୂଚନା ଅନୁଯାୟୀ, ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗ କେବଳ ଛୋଟ ଛୋଟ ବେପାରୀଙ୍କୁ ଧରି ନିଜର ପିଠି ଥାପୁଡ଼ାଉଛି ଏବଂ ବଡ଼ ବେପାରୀମାନଙ୍କ ପ୍ରତି ଦୃଷ୍ଟି ଦେଉନାହିଁ ବୋଲି ଅଭିଯୋଗ ହେଉଛି। ତେବେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା।
ପାଟଣାଗଡ଼ ସ୍ମାର୍ଟ ପାର୍ଟ ରାସ୍ତା ଓ ସିଲେଟପଡ଼ା ଛକ ନିକଟରେ ଚଢ଼ଉ କରାଯାଇ ମହିନ୍ଦ୍ରା ଜାଇଲୋ ଗାଡ଼ିରୁ ଏହି ଗଞ୍ଜେଇ ଜବତ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାଡ଼ି ଓ ଗଞ୍ଜେଇକୁ ଓଜନ କରାଯିବା ପରେ ଏହାର ପରିମାଣ ୩ କ୍ୱିଣ୍ଟାଲ ୨୧ କେଜି ଥିବା ଜଣାପଡ଼ିଥିଲା। ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଅବକାରୀ ବିଭାଗର ନିଷ୍କ୍ରିୟତାକୁ ନେଇ ବୁଦ୍ଧିଜୀବୀ ମହଲରେ ପୋଲିସର ଏହି କାର୍ଯ୍ୟକୁ ବେଶ୍ ପ୍ରଶଂସା କରାଯାଇଛି।

