ଭିଜିଲାନ୍ସ ଜାଲରେ ସଇଁନ୍ତଲା ରାଜସ୍ୱ ନିରୀକ୍ଷକ ; ଜମି କିସମ ପରିବର୍ତ୍ତନ ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଗିରଫ ।
ବଲାଙ୍ଗୀର,୧୩।୧୦: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ରାଜସ୍ୱ ନିରୀକ୍ଷକ ଆଳନ ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜମି କିସମ ପରିବର୍ତ୍ତନ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୩,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ସଇଁନ୍ତଲା ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଜମିର କିସମ ପରିବର୍ତ୍ତନ ଏବଂ ଘରବାରୀ କରିବା ନିମନ୍ତେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ମାତ୍ର ଆର୍ଆଇ ଆଳନ ବେହେରା ଏଥିପାଇଁ ଲାଞ୍ଚ ମାଗିଥିଲେ। ବ୍ୟକ୍ତିଜଣକ ଟଙ୍କା ଦେବାକୁ ଅମଙ୍ଗ ହେବାରୁ ଆର୍ଆଇ ଜାଣିଶୁଣି ଫାଇଲକୁ ଅଟକାଇ ରଖିଥିଲେ ଏବଂ ବିଭିନ୍ନ ପ୍ରକାରେ ହଇରାଣ ହରକତ କରିଥିଲେ।
ଶେଷରେ ବାଧ୍ୟହୋଇ ସଂପୃକ୍ତ ବ୍ୟକ୍ତି ଜଣକ ଏନେଇ ବଲାଙ୍ଗୀର ଭିଜିଲାନ୍ସ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ପୂର୍ବ ଯୋଜନା ମୁତାବକ ଆଜି ସଂପୃକ୍ତ ବ୍ୟକ୍ତି ଜଣକ ୩,୦୦୦ ଟଙ୍କା ଲାଞ୍ଚ ଦେଉଥିବା ବେଳେ ପୂର୍ବରୁ ଛପି ବସିଥିବା ଭିଜିଲାନ୍ସ ଟିମ୍ ଚଢାଉ କରି ତାଙ୍କୁ ଧରିଥିଲା।
ଏହାପରେ ଭିଜିଲାନ୍ସ ଟିମ୍ ପକ୍ଷରୁ ସଇଁନ୍ତଳା ସ୍ଥିତ କାର୍ଯ୍ୟାଳୟ ଏବଂ ଟିଟିଲାଗଡ଼ ନିକଟସ୍ଥ ପଥର୍ଲା ଗାଁରେ ଥିବା ତାଙ୍କ ପୈତୃକ ବାସଭବନରେ ଏକକାଳୀନ ଚଢାଉ କରାଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଉଛି।

