ମୁରିବାହାଲ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନ: ଅଧ୍ୟକ୍ଷଙ୍କ କ୍ଷମତାହୀନତା ଓ ଖୋଲାଖୋଲି ରାଜନୈତିକ ସଂପୃକ୍ତିକୁ ନେଇ ବଢୁଛି ଅସନ୍ତୋଷ ।
ବଲାଙ୍ଗୀର,୧୩।୧୦: ସାରା ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ମାହୋଲ ସରଗରମ ରହିଥିବାବେଳେ, ବଲାଙ୍ଗୀର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ କଲେଜ ଏବେ ଏକ ବଡ଼ଧରଣର ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। କଲେଜ ପରିସରରେ ନିୟମକୁ ଜଳାଞ୍ଜଳି ଦିଆଯାଇ ଅଣ-ଛାତ୍ରଙ୍କ ମାଧ୍ୟମରେ ଭୋଟ ଦେବାକୁ କହି ସଂପୃକ୍ତ କଲେଜ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇବାର ଏକ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ କଲେଜ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ଏବେ ସ୍ଥାନୀୟ ଅଞ୍ଚଳରେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି।
ଅଭିଯୋଗ ମତେ, ଗତକାଲି କଲେଜର ଏକ ଶ୍ରେଣୀଗୃହ ଭିତରେ ରାକେଶ ପୃଷ୍ଟି ନାମକ ଜଣେ ବ୍ୟକ୍ତି ଅଧିକାର ନଥାଇ ପ୍ରବେଶ କରିଥିଲେ। ସେଠାରେ ସେ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଶପଥ ପାଠ କରାଉଥିବା ନେଇ ସ୍ପଷ୍ଟ ଅଭିଯୋଗ ହୋଇଛି।
ଏହି ଘଟଣାକୁ ଗ୍ରହଣ ନ କରି, ବିଜେପି ସମର୍ଥିତ ଏବିଭିପି (ABVP) ପ୍ରାର୍ଥୀ ରିତେଶ ସାଣ୍ଡ ତୁରନ୍ତ ମୁରିବାହାଲ ଥାନା ଏବଂ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ପରେ ପୋଲିସ ତତ୍ପରତା ପ୍ରକାଶ କରି ସଂପୃକ୍ତ ଯୁବକଙ୍କ ଘରକୁ ଯାଇ ତଦନ୍ତ କରିଥିବା ଆଇଆଇସି ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି।
ଅନ୍ୟ ପକ୍ଷରେ କଲେଜ ଭିତରେ ଏଭଳି ବେଆଇନ୍ କାର୍ଯ୍ୟକଳାପ ଚାଲିଥିବା ବେଳେ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସ୍ପଷ୍ଟୀକରଣ ତାଙ୍କର ଅପାରଗତାକୁ ପଦାରେ ପକାଇଛି। ଅଧ୍ୟକ୍ଷ ଜଣକ କହିଛନ୍ତି ଯେ, ସଂପୃକ୍ତ ଯୁବକ ମୁଖ୍ୟ ଗେଟ୍ ଦେଇ ନ ଆସି ଅନ୍ୟ କୌଣସି ପଟୁ ପ୍ରବେଶ କରିଥିଲେ !
ପ୍ରଶ୍ନ ଉଠୁଛି କଲେଜ କ୍ୟାମ୍ପସ ଭିତରେ ଏପରି ଅଧିକାରୀଙ୍କ ଅଜାଣତରେ ବା ପରୋକ୍ଷ ସହଯୋଗରେ ବାହାର ଲୋକ ପଶି ଏଭଳି କାଣ୍ଡ ଘଟାଇବା କେତେଦୂର ଯୁକ୍ତିଯୁକ୍ତ ? କେବଳ ବିସିଜେଡି (BCJD) ପ୍ରାର୍ଥୀ ପୀତବାସ ରଣାଙ୍କଠାରୁ ଏକ ମାମୁଲି ଅଣ୍ଡରଟେକିଂ (Under-taking) ରଖି ଅଧ୍ୟକ୍ଷ ନିଜ ଦାୟିତ୍ୱରୁ ଖସିଯିବାକୁ ଚେଷ୍ଟା କରୁଛନ୍ତି, ଯାହା ତାଙ୍କର ପକ୍ଷପାତିତାକୁ ସ୍ପଷ୍ଟ ପ୍ରମାଣିତ କରୁଛି।
ଅନ୍ୟପକ୍ଷରେ, ଏନେଇ ସମ୍ପୃକ୍ତ ଯୁବକ ରାକେଶ ପୃଷ୍ଠି ନିଜକୁ କଲେଜର ଛାତ୍ର ବୋଲି ଦାବି କରିବା ସହ ବିଜେପି ନେତାମାନଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ ଆଣି ପରିସ୍ଥିତିକୁ ଜଟିଳ କରିଛନ୍ତି।
ଅଭିଯୋଗକୁ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା ଏବଂ ସ୍ଥାନୀୟ ବିଧାୟକଙ୍କ ବଡ଼ଭାଇ ତଥା ଜିଲ୍ଲା ସମ୍ପାଦକ ପୁରନ୍ଦର ବାଗ୍ ନିଜ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ବୋଲି ଦୃଢ଼ ପ୍ରତ୍ୟାଖ୍ୟାନ କରିଛନ୍ତି।
ଏହି ସମଗ୍ର ଘଟଣାକୁ ନେଇ ମୁରିବାହାଲର ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅଧ୍ୟକ୍ଷ ସରୋଜ ନାୟକଙ୍କ ବିରୁଦ୍ଧରେ ତୀବ୍ର ଅସନ୍ତୋଷ ଓ ଆଲୋଚନା ଜାରି ରହିଛି।
ସେହିପରି ବଲାଙ୍ଗୀର ଜିଲ୍ଲା ବିଜେପିର ସାମାଜିକ ଗଣମାଧ୍ୟମ ସଂଯୋଜକ ହୃଦାନନ୍ଦ ବାଗ୍ ଏହି ଭାଇରାଲ ଭିଡିଓକୁ ନିଜ ଫେସବୁକ ଏକାଉଣ୍ଟ୍ ରେ ପୋଷ୍ଟ କରି ଅଧ୍ୟକ୍ଷଙ୍କ ଏପରି ଖୋଲାଖୋଲି ରାଜନୈତିକ ସଂପୃକ୍ତି ଏବଂ ଅପାରଗତାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ବିସିଜେଡିକୁ ପରୋକ୍ଷରେ ସହଯୋଗ କରୁଥିବା ଏହି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି ।

