Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାହିଁକି ମନ୍ତ୍ରୀ ପରିଷଦରୁ ବିଦା ହେଲେ ରୋହିତ ? ଅପାରଗ ପାଇଁ ନା ବିବାଦୀୟ ବୟାନ…

ଭୁବନେଶ୍ଵର: ମନ୍ତ୍ରୀ ପଦ ହରାଇଲେ ଟାଣୁଆ ବିଜୁ ଜନତା ଦଳ(ବିଜେଡି) ନେତା ରୋହିତ ପୂଜାରୀ। ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଯିବା ଖବର ଓଡ଼ିଶା ରାଜନୀତିକୁ ବେଶ ସରଗରମ କରିଛି। ୧୩ ମାସ ହେଲା ମନ୍ତ୍ରୀ ପଦରେ ଥିଲେ। ତେବେ ଏଯାଏଁ ସ୍ପଷ୍ଟ ହୋଇନାହିଁ, ରୋହିତ ପୂଜାରୀଙ୍କୁ ଇସ୍ତଫା ଦେବାକୁ କୁହାଗଲା ? ନା’ ମୁଖ୍ୟମନ୍ତ୍ରୀ, ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଛନ୍ତି? କିନ୍ତୁ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବରେ ରୋହିତଙ୍କ ପ୍ରଦର୍ଶନ ଖରାପ ଥିଲା ସେଥିପାଇଁ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡିଛି। ଦକ୍ଷତା ନ ଥିବା ଏବଂ ନିଜ ବିଭାଗ ସୂଚାରୁ ରୂପେ ପରିଚାଳନା ନ କରିବାର ଅପବାଦ ରୋହିତଙ୍କ ଉପରେ ଲାଗିଥିବା କୁହାଯାଉଛି। ବିଭାଗୱାରୀ ସମୀକ୍ଷାରେ ତାଙ୍କ ପ୍ରଦର୍ଶନ ଠିକ୍ ନଥିବା କାରଣ ଦର୍ଶାଇ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଅତିରିକ୍ତ ଭାବେ ଦିଆଯାଇଛି ଉଚ୍ଚ ଶିକ୍ଷା ବିଭାଗ ।

୪୯ ବର୍ଷୀୟ ରୋହିତ ପୂଜାରୀ ଜଣେ ଅଭିଜ୍ଞ ଏବଂ ଟାଣୁଆ ରାଜନେତାଙ୍କ ମଧ୍ୟରେ ଗଣା । କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିବା ଏହି ଯୁବ ନେତା ରାଜ୍ୟ ଯୁବ କଂଗ୍ରେସର ସଭାପତି ରହିଥିଲେ । ଏଆଇସିସି ସଦସ୍ୟ ମଧ୍ୟ ଥିଲେ । ମେକାଲିକାଲ ଇଞ୍ଜିନିୟରରୁ ରାଜନେତା ପାଲଟିଥିବା ରୋହିତ ୨୦୦୯ରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ଦଳକୁ ଆସୁ ଆସୁ ତାଙ୍କୁ ମିଳିଥିଲା ଯଥେଷ୍ଟ ସମ୍ମାନ ସହ କ୍ଷମତା । ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ହୋଇଥିଲେ । ତେବେ ସବୁଠୁ ବଡ଼ କଥା ୨୦୧୪ ନିର୍ବାଚନରେ ରୋହିତଙ୍କୁ ରେଢାଖୋଲରୁ ଟିକେଟ୍ ମିଳିଥିଲା। ଏହା ପୂର୍ବରୁ ସେଠାରେ ବିଧାୟକ ଥିଲେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ। ପ୍ରସନ୍ନଙ୍କ ସହ ରୋହିତଙ୍କ ସଂପର୍କ ଠିକ୍ ନଥିବା କୁହାଯାଏ। ସୁଶାନ୍ତ ସିଂଙ୍କ ଘନିଷ୍ଠ କୁହାଯାଉଥିବା ରୋହିତ ପୂଜାରୀଙ୍କ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସହ ସଂପର୍କ ଠିକ୍ ନଥିବା କୁହାଯାଏ।

ସମ୍ବଲପୁରର ବିଶ୍ଵ ପ୍ରସିଦ୍ଧ ଶୀତଳ ଷଷ୍ଠୀ ସମୟରୁ ରୋହିତ ପୂଜାରୀଙ୍କୁ ଆଭାସ ମିଳି ସାରିଥିଲା ଯେ, ସେ ଆଉ ମୁଖ୍ୟମନ୍ତ୍ରୀଙ୍କ ଗୁଡବୁକରେ ସେ ନାହାଁନ୍ତି। ସମ୍ବଲପୁର ଜିଲ୍ଲାର ହୋଇ ମଧ୍ୟ ରୋହିତ ପୂଜାରୀଙ୍କୁ ଶୀତଳ ଷଷ୍ଠୀ ଯାତ୍ରାର ଦାୟିତ୍ୱ ଦେଇନଥିଲା ବିଜେଡି। ଶୀତଳ ଷଷ୍ଠୀ ପର୍ବ ପାଳନ ସମୟରେ ସମନ୍ୱୟ ରଖିବା ପାଇଁ ନିରଞ୍ଜନ ପୂଜାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେହିଭଳି ଝାରସୁଗୁଡ଼ା ଉପନିର୍ବାଚନର ଷ୍ଟାର ପ୍ରଚାରକ ତାଲିକାରୁ ରୋହିତଙ୍କୁ ବାଦ୍ ଦେଇଥିଲା ଶାସକ ବିଜେଡି।

ତାଙ୍କର କିଛି ବୟାନ ତାଙ୍କୁ ମହଙ୍ଗା ପଡ଼ିଛି ବୋଲି କୁହାଯାଉଛି। କିଛି ଦିନ ତଳେ ରୋହିତ ବୟାନ ଦେଇ ରାଜନେତାମାନେ ୬୦ ବର୍ଷ ପରେ ଅବସର ନେବା ଦରକାର ବୋଲି କହିଥିଲେ । ଅନ୍ୟପଟେ ରୋହିତ ପୂଜାରୀଙ୍କ ସାଂଗଠନିକ ଦକ୍ଷତା ଠିକ୍ ନଥିବା ପ୍ରମାଣିତ ହୋଇଛି । ଗତ ନିର୍ବାଚନରେ ରେଢାଖୋଲରେ ବିଜେପି ଗୋଟିଏ ଜିଲ୍ଲା ପରିଷଦ ଦଖଲ କରିଥିଲା । ତାହା ରୋହିତଙ୍କ ସାଂଗଠନିକ ଦୁର୍ବଳତାକୁ ପ୍ରମାଣିତ କରିଥିବା ରାଜନୈତିକ ସମୀକ୍ଷକ କହିଛନ୍ତି। ଏହାସହ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କ ଜନସମ୍ପର୍କ ମଧ୍ୟ ଦୁର୍ବଳ । ସେ ନିଜ ନିର୍ବାଚନ ମଣ୍ଡଳୀକୁ ଖୁବ କମ ଯାଉଥିବା ଏବଂ ଅଧିକାଂଶ ସମୟ ଭୁବନେଶ୍ୱର ଏବଂ ବାହାରେ ରହୁଥିବା ଅଭିଯୋଗ ମଧ୍ୟ ଉଠୁଥିଲା। ଏ ସବୁ ବି ରୋହିତଙ୍କ ମନ୍ତ୍ରୀ ପଦ ଯିବା ପଛର କାରଣ ହୋଇପାରେ ବୋଲି କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ