ଭାଇର ଜୀବନ ବଞ୍ଚାଇବାକୁ ଗାଁ ଦାଣ୍ଡରେ ଭଉଣୀର ଭିକ୍ଷା: ‘ମୋ ଭାଇକୁ ବଞ୍ଚାଇ ଦିଅନ୍ତୁ ବାବୁ’ ଦେଓଗାଁରେ ମର୍ମସ୍ପର୍ଶୀ ଦୃଶ୍ୟ, ବ୍ଲକ ଅଧ୍ୟକ୍ଷଙ୍କ ସହାୟତାର ହାତ !
ବଲାଙ୍ଗୀର,୩୧।୧୦: “ମୋ ଗୋଟେ ବୋଲି ଭାଇ ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଛି… କିଛି ସାହାଯ୍ୟ କରନ୍ତୁ ବାବୁ! ଭାଇ ମୋର ବଞ୍ଚିଯିବ… କିଛି ଦାନ କରନ୍ତୁ…।” ଏଭଳି ଏକ ହୃଦୟ ବିଦାରକ କରୁଣ ଅପିଲ୍ ଆଜି ସମଗ୍ର ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳରେ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି। ଭାଇର ଜୀବନକୁ ରକ୍ଷା କରିବା ପାଇଁ ଜଣେ ଭଉଣୀ ହାତରେ ବାକ୍ସ ଧରି ଗାଁ ଦାଣ୍ଡରୁ ଆରମ୍ଭ କରି ଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଭିକ୍ଷା ମାଗୁଥିବା ହୃଦୟସ୍ପର୍ଶୀ ଚିତ୍ର ଏବେ ସୋସିଆଲ ମିଡିଆ ଏବଂ ସାଧାରଣରେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି।
ପ୍ରାପ୍ତ ସୂଚନା ମୁଁତାବକ, ଦେଓଗାଁ ବ୍ଲକ ସିଂହାମୁଣ୍ଡା ଗାଁର ଯଶୋଦା ଭାଟିଙ୍କ ପରିବାର ଅତି ଗରିବ ଶ୍ରେଣୀର। ପରିବାରରେ ସ୍ବାମୀ, ଦୁଇ ଝିଅ ଏବଂ ଗୋଟିଏ ପୁଅ ବିଜୟ ଅଛନ୍ତି। କିନ୍ତୁ ବିଗତ ୪ ବର୍ଷ ହେଲା ବିଜୟଙ୍କ ଗଳାରେ ମାଂସ ବୃଦ୍ଧି ପାଇବାରୁ ତାଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ ଅହେତୁକ କଷ୍ଟ ହେଉଛି। ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଅପରେସନ ହୋଇ ତଣ୍ଟି ଦେଇ ନିଶ୍ବାସ ନେଉଥିଲେ ମଧ୍ୟ ସେ ଆଉ କଥା କହିପାରୁ ନାହାନ୍ତି। ବର୍ତ୍ତମାନ ତାଙ୍କର ସମ୍ପୂର୍ଣ୍ଣ ସୁସ୍ଥତା ଏବଂ ପରବର୍ତ୍ତୀ ଜଟିଳ ଅପରେସନ ପାଇଁ ପ୍ରାୟ ୮ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ଅତ୍ୟନ୍ତ ଗରିବ ଅବସ୍ଥାରେ ଦିନ କାଟୁଥିବା ଏହି ପରିବେଶରେ ଏତେ ବଡ଼ ପରିମାଣର ଅର୍ଥ ଯୋଗାଡ଼ କରିବା ସମ୍ଭବ ହୋଇପାରିନାହିଁ।
ଅପରେସନରେ ଯେତିକି ବିଳମ୍ବ ହେଉଛି, ବିଜୟଙ୍କ ଯନ୍ତ୍ରଣା ସେତିକି ବଢ଼ିବାରେ ଲାଗିଛି। ସାଙ୍ଗସାଥୀମାନେ ପାଠପଢ଼ି ଖେଳକୁଦ କରୁଥିବା ବେଳେ, ଦୁର୍ଭାଗ୍ୟର କରାଳଛାୟା ତଳେ ଆଜି ବିଜୟ ନିଜ ଶେଷ ନିଶ୍ବାସ ପାଇଁ ସଂଘର୍ଷ କରୁଛନ୍ତି। ଭାଇର ଏଭଳି ଦୟନୀୟ ଅବସ୍ଥା ଦେଖି ବାଧ୍ୟ ହୋଇ ତାଙ୍କ ଭଉଣୀ ରାଜେଶ୍ବରୀ ଭାଟି ଆଜି ଦେଓଗାଁର ପ୍ରସିଦ୍ଧ କାନ୍ଦୁଲବୁଢ଼ା ଯାତ୍ରା ପଡ଼ିଆ ଓ ଗାଁ ଗାଁ ବୁଲି ହାତପାତି ସାହାଯ୍ୟ ଭିକ୍ଷା କରିଥିଲେ।
ତେବେ ଏହି ଖବର ପ୍ରଚାରିତ ହେବା ପରେ ମାନବିକତାର ପରିଚୟ ଦେଇ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ସହାୟତାର ହାତ ବଢ଼ାଇଛନ୍ତି। ସେ ସିଧାସଳଖ ଭଉଣୀ ରାଜେଶ୍ବରୀଙ୍କ ଘରେ ପହଞ୍ଚି ବିଜୟଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଅପରେସନ ପାଇଁ ସମସ୍ତ ସମ୍ଭବ ଆର୍ଥିକ ସହାୟତା ଏବଂ ପ୍ରଶାସନିକ ସ୍ତରରେ ବ୍ୟବସ୍ଥା କରାଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ସରକାରୀ ସ୍ତରରୁ ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ବେ ଯଦି ସହାୟତା ନମିଳେ, ତେବେ ନିଜେ ଭଉଣୀ ସହିତ ଗାଁ ଗାଁ ବୁଲି ସହଯୋଗ ମାଗିବେ ବୋଲି ବ୍ଲକ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଦେଓଗାଁ ବିଡିଓ ପ୍ରିୟ ରଞ୍ଜନ କୁମ୍ଭାର ମଧ୍ୟ ଏହି ବିଷୟରେ ସରକାରଙ୍କୁ ଅବଗତ କରାଯାଇ ତୁରନ୍ତ ଚିକିତ୍ସା ପାଇଁ ଅର୍ଥ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି।
ଗୋଟିଏ ପଟେ ଭଉଣୀର ଏହି ଅସହାୟତା ସମସ୍ତଙ୍କ ହୃଦୟକୁ ବିଦ୍ଧ କରୁଥିବା ବେଳେ, ଅପରପକ୍ଷେ ଜଣେ ଭାଇର ମୁହଁର ହସ ଓ ଜୀବନ ଫେରାଇ ଆଣିବା ପାଇଁ ସମାଜର ମହିମାମୟ ସହଯୋଗର ହାତ ଏବେ ଆଶାର କିରଣ ସାଜିଛି।

