Florida Plane Crash: ଉଡ଼ାଣର କିଛି ସମୟ ପରେ ଭୟଙ୍କର ବିମାନ ଦୁର୍ଘଟଣା, ୯ ଜଣଙ୍କ ମୃତ୍ୟୁ; ଶେଷ ମୁହୂର୍ତ୍ତର ଅଡିଓକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାସ୍ଥିତ ପାମ୍ ବିଚ୍ କାଉଣ୍ଟିରେ ନଭେମ୍ବର ୧ ତାରିଖରେ ଏକ ଲିଅରଜେଟ୍ ୬୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। N722BD ରେଜିଷ୍ଟ୍ରେସନ୍ ନମ୍ବର ଥିବା ଏହି ବିମାନଟି ଟେକ୍ସାସର ଅଷ୍ଟିନ୍ରୁ ବାହାମାସ୍ର ନର୍ଥ ଏଲୁଥେରା ଅଭିମୁଖେ ଯାଉଥିଲା। ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଅନୁସାରେ, ବିମାନରେ ୯ ଜଣ ଥିଲେ। ପରେ ଆମେରିକାର ପରିବହନ ମନ୍ତ୍ରୀ ମଧ୍ୟ ସମସ୍ତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ବିମାନର ଶେଷ ଯୋଗାଯୋଗ ସମୟର ଅଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟ ଅନୁସାରେ, ଉଡ଼ାଣ ସମୟରେ ପାଇଲଟ୍ମାନେ ଭୟଙ୍କର ପାଣିପାଗ ଓ ବିମାନରେ ବରଫ ଜମିବା ଭଳି ସମସ୍ୟାର ସାମ୍ନା କରିଥିଲେ। ପରେ ସେମାନେ ଜରୁରୀକାଳୀନ ସହାୟତା ମାଗିଥିଲେ ଏବଂ ବିମାନଟି ହଠାତ୍ ଦ୍ରୁତଗତିରେ ତଳକୁ ଖସିଥିବା ଜଣାପଡ଼ିଛି। କିଛି ରିପୋର୍ଟରେ ବିମାନଟି ପ୍ରତି ମିନିଟ୍ରେ ପ୍ରାୟ ୩୦ ହଜାର ଫୁଟ୍ ବେଗରେ ତଳକୁ ଖସିଥିବା କୁହାଯାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଥିଲା, ଖରାପ ପାଣିପାଗ ଓ ବରଫ ଜମିବା ଏଥିପାଇଁ ଦାୟୀ କି ନାହିଁ, ତାହା ଏବେ ତଦନ୍ତର ବିଷୟ।
ଅନ୍ୟପକ୍ଷରେ, ଘଟଣାସ୍ଥଳର ଭିଡିଓ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ନେଇ ମଧ୍ୟ କିଛି ପ୍ରଶ୍ନ ଉଠିଛି। ଏହି ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ (NTSB) ବିମାନର ଫ୍ଲାଇଟ୍ ଡାଟା, କକ୍ପିଟ୍ ଭଏସ୍ ରେକର୍ଡିଂ, ରକ୍ଷଣାବେକ୍ଷଣ ରେକର୍ଡ, ପାଣିପାଗ ତଥ୍ୟ ଓ ଘଟଣାସ୍ଥଳର ପ୍ରମାଣ ଯାଞ୍ଚ କରିବ। ତେବେ ୯ ଜଣଙ୍କ ମୃତ୍ୟୁ ପଛରେ କ’ଣ କାରଣ ରହିଛି, ତାହା ତଦନ୍ତ ରିପୋର୍ଟ ପରେ ହିଁ ସ୍ପଷ୍ଟ ହେବ।

