Rajasthan Temple: ମନସ୍କାମନା ପୂରଣ ହେବା ପରେ ଠାକୁରଙ୍କୁ ଦେଲେ ସୁନାର ହୃଦୟ, ୨୧ ଗ୍ରାମ ଓଜନର ଅଳଙ୍କାରର ମୂଲ୍ୟ ୩ ଲକ୍ଷରୁ ଅଧିକ
ରାଜସ୍ଥାନ: ଭଗବାନଙ୍କ ପ୍ରତି ଭକ୍ତି ଓ ବିଶ୍ୱାସର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ଚିତ୍ତୋରଗଡ଼ରେ ଥିବା ପ୍ରସିଦ୍ଧ ସାଁୱରିଆ ସେଠ ମନ୍ଦିରରେ। ଜଣେ ଭକ୍ତ ଠାକୁରଙ୍କୁ ୨୧ ଗ୍ରାମ ଓଜନର ସୁନାର ହୃଦୟ ଆକୃତିର ଅଳଙ୍କାର ଦାନ କରିଛନ୍ତି। ଏହାର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ବୋଲି ଆକଳନ କରାଯାଇଛି। ଏହି ଦାନ ପଛରେ ରହିଛି ଭକ୍ତଙ୍କ ଏକ ଭାବପୂର୍ଣ୍ଣ କାହାଣୀ।
ସୂଚନା ଅନୁସାରେ, ରାଜସ୍ଥାନର ଜାଲୋର ଅଞ୍ଚଳର ଏହି ଭକ୍ତ ହୃଦ୍ରୋଗରେ ପୀଡ଼ିତ ଥିଲେ। ତାଙ୍କର ଚିକିତ୍ସା ଓ ଅସ୍ତ୍ରୋପଚାର ସଫଳ ହେବା ପାଇଁ ସେ ସାଁୱରିଆ ସେଠଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଅସ୍ତ୍ରୋପଚାର ପରେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ସେ ନିଜର ମାନସିକ ପୂରଣ କରିବାକୁ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ସେ ସୁନାର ହୃଦୟ ଆକୃତିର ଅଳଙ୍କାର ଅର୍ପଣ କରିଥିଲେ।
ମନ୍ଦିର ଟ୍ରଷ୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭକ୍ତ ଜଣକ ଦାନ କାଉଣ୍ଟରରେ ଏହି ସୁନାର ଅଳଙ୍କାର ଜମା କରିଥିଲେ। ତେବେ ସେ ନିଜର ପରିଚୟ ଗୋପନ ରଖିଛନ୍ତି। ଭକ୍ତଙ୍କ ଏହି ନିଆରା ଦାନ ଏବେ ମନ୍ଦିରରେ ଚର୍ଚ୍ଚାର ବିଷୟ ପାଲଟିଛି।

