ସନ୍ଧ୍ୟାରେ ରେକି, ରାତିରେ କଳାକନା; ବଲାଙ୍ଗୀରରେ କୁଖ୍ୟାତ ଚୋର ଗ୍ୟାଙ୍ଗ୍ ଗିରଫ, ୩୨ ଗ୍ରାମ ସୁନା ସହ ନଗଦ ଟଙ୍କା ଜବତ ।
ବଲାଙ୍ଗୀର,୭।୧୧: ସନ୍ଧ୍ୟାରେ ଘରର ସ୍ଥିତି ଅନୁଧ୍ୟାନ (ରେକି) କରିବା ଏବଂ ରାତିରେ ସୁଯୋଗ ବୁଝି କଳାକନା ବୁଲାଇବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ବଲାଙ୍ଗୀର ସହରର ଚନ୍ଦ୍ରସେନୀ ନଗର ଅଞ୍ଚଳରେ ଘଟିଥିବା ଏକ ବଡ଼ଧରଣର ଚୋରି ମାମଲାରେ ଲକ୍ଷ୍ମୀଜୋର ଥାନା ପୋଲିସ ମାତ୍ର ଦୁଇ-ତିନି ଦିନ ଭିତରେ ସଫଳତା ହାସଲ କରି ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ସ୍ଥାନୀୟ ତାଲପାଲିପଡ଼ାର ବୋଲି ପୋଲିସ ସୂଚନା ଦେଇଛି।
ଗତ ନଭେମ୍ବର ୩ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ସମୟରେ, ସେଠାକାର ଜଣେ ପୂଜାରୀ ନୀଳାମ୍ବର ଶତପଥୀ ନିଜ ଘର କବାଟରେ ପକାଇ ପରିବାର ସହ ବାହାରକୁ ଯାଇଥିଲେ। ଏହି ସୁଯୋଗକୁ ଆଖିରେ ରଖି ଦୁର୍ବୁତ୍ତ ମାନେ ରାତିରେ ଘରର ତାଲା ଭାଙ୍ଗି ଚୋରି କରିଥିଲେ। ପରଦିନ ଅର୍ଥାତ୍ ନଭେମ୍ବର ୪ ତାରିଖ ସନ୍ଧ୍ୟାରେ ଶ୍ରୀ ଶତପଥୀ ଲକ୍ଷ୍ମୀଜୋର ଥାନାରେ ଏତେଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଦ୍ରୁତ ତଦନ୍ତ କରି ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ ପ୍ରାୟ ୩୨ ଗ୍ରାମରୁ ଅଧିକ ସୁନା, ୬ ଗ୍ରାମ ରୁପା, ୩ଟି ମୋବାଇଲ୍ ଫୋନ୍ ଏବଂ ନଗଦ ୪୧,୪୦୦ ଟଙ୍କା ଜବତ କରିଛି। ଏହାସହ ତାଲା ଭାଙ୍ଗିବା ପାଇଁ ବ୍ୟବହୃତ ଆଇରନ୍ ରଡ୍, କଟିଙ୍ଗ୍ ବ୍ଲେଡ୍ ଏବଂ ଗୋଟିଏ ବାଜାଜ୍ ଆଭେଞ୍ଜର ମୋଟର ସାଇକେଲ୍ ମଧ୍ୟ ଜବତ କରାଯାଇଛି।
ପୋଲିସର କହିବାନୁଯାୟୀ, ଏହି ଅଭିଯୁକ୍ତମାନେ ପୂର୍ବରୁ ମଧ୍ୟ ଲକ୍ଷ୍ମୀଜୋର ଓ ଟାଉନ୍ ଥାନା ଅଞ୍ଚଳରେ ଜୁନ୍ ମାସ ଏବଂ ନୂଆଁଖାଇ ପୂର୍ବରୁ ଘଟିଥିବା ଅନ୍ୟାନ୍ୟ ଚୋରି ମାମଲାରେ ସଂପୃକ୍ତ ଥିବା କଥା ସ୍ୱୀକାର କରିଛନ୍ତି। ସେମାନଙ୍କର ଅପରାଧିକ ପୃଷ୍ଠଭୂମିକୁ ଦୃଷ୍ଟିରେ ରଖି ପୋଲିସ ସେମାନଙ୍କୁ ‘ଅର୍ଗାନାଇଜଡ୍ କ୍ରାଇମ୍’ (Organized Crime) ଧାରାରେ କୋର୍ଟଚାଲାଣ କରୁଛି, ଯଦ୍ଦ୍ବାରା ସେମାନଙ୍କୁ ସହଜରେ ଜାମିନ ମିଳିବ ନାହିଁ।
ଏହି ପ୍ରସଙ୍ଗରେ ସଦର ଏସ୍.ଡି.ପି.ଓ ସରୋଜ ଉପାଧ୍ୟାୟ ସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି ଯେ, ଯେତେବେଳେ ବି କେହି ପରିବାର ସହ ଦୀର୍ଘ ସମୟ ପାଇଁ ଘର ଛାଡ଼ି ବାହାରକୁ ଯାଉଛନ୍ତି, ସେମାନେ ସ୍ଥାନୀୟ ବିଟ୍ ଅଫିସରଙ୍କୁ କିମ୍ବା ଜରୁରୀକାଳୀନ ନମ୍ବର ‘୧୧୨’ / ‘୧୦୦’ କୁ ଫୋନ୍ କରି ଜଣାଇବା ଉଚିତ୍। ଏହାଦ୍ୱାରା ପୋଲିସ ସେହି ଅଞ୍ଚଳରେ ପେଟ୍ରୋଲିଂ ବା ପାଟ୍ରୋଲ ବ୍ୟବସ୍ଥା କଡ଼ାକଡ଼ି କରିପାରିବ ଏବଂ ଏଭଳି ଅପରାଧକୁ ବହୁ ପରିମାଣରେ ହ୍ରାସ କରାଯାଇପାରିବ।

