Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତବଲାକଟା ଟୋଲ ଗେଟ୍‌ରେ ତୀବ୍ର ଉତ୍ତେଜନା; ସ୍ଥାନୀୟ ଗାଡ଼ିକୁ ଟୋଲ ମୁକ୍ତ ଦାବିରେ ଅଞ୍ଚଳବାସୀଙ୍କ ଘେରାଉ ଓ ଧାରଣା

ଜମନକିରା : ଭୋଜପୁର ନିକଟସ୍ଥ ତବଲାକଟା ଟୋଲ ଗେଟ୍ କାର୍ଯ୍ୟକ୍ଷମ ହେବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ବାସିନ୍ଦାଙ୍କୁ କୌଣସି ପ୍ରକାର ରିହାତି ନଦେଇ ମନଇଚ୍ଛା ଟୋଲ ଆଦାୟ କରାଯାଉଥିବା ଅଭିଯୋଗ କରି ଆଜି ଶତାଧିକ ଅଞ୍ଚଳବାସୀ ଏକତ୍ରିତ ହୋଇ ଟୋଲ ଗେଟ୍ ଘେରାଉ କରିବା ସହ ଧାରଣାରେ ବସିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ତବଲାକଟା ଟୋଲ ପ୍ଲାଜା ଆରମ୍ଭ ହେବା ପରେ ନିକଟବର୍ତ୍ତୀ ଗ୍ରାମ ଓ ପଞ୍ଚାୟତର ଲୋକମାନେ ଦୈନନ୍ଦିନ ଯାତାୟାତ କ୍ଷେତ୍ରରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଗାଡ଼ିଗୁଡ଼ିକୁ ବିନା ରିହାତିରେ ଟୋଲ ଫି’ ଦେବାକୁ ବାଧ୍ୟ କରାଯାଉଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା। ଏହାର ପ୍ରତିବାଦରେ ଆଜି ବହୁ ସଂଖ୍ୟାରେ ସ୍ଥାନୀୟ ଯୁବକ ଓ ଅଞ୍ଚଳବାସୀ ବାଇକ୍ ଯୋଗେ ଟୋଲ ଗେଟ୍ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟୋଲ ଗେଟ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।
ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଯେ, ସ୍ଥାନୀୟ ଅଞ୍ଚଳର ସମସ୍ତ ଯାନବାହନକୁ ସମ୍ପୂର୍ଣ୍ଣ ଭାବେ ଟୋଲ ମୁକ୍ତ କରାଯାଉ। ଦୈନନ୍ଦିନ କାମଧନ୍ଦା, ବ୍ୟବସାୟ ତଥା ଜରୁରୀକାଳୀନ ସେବା ପାଇଁ ଯାତାୟାତ କରୁଥିବା ସ୍ଥାନୀୟ ଲୋକଙ୍କଠାରୁ ଟୋଲ ଆଦାୟ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଯଦି ତୁରନ୍ତ ପ୍ରଶାସନ ଓ ଟୋଲ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ସ୍ଥାନୀୟ ଗାଡ଼ିଗୁଡ଼ିକୁ ଟୋଲ ମୁକ୍ତ ନ କରନ୍ତି, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories