ଷଣ୍ଢପଥର ଆଶ୍ରମ ବିଦ୍ୟାଳୟରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଓ ‘ଜନଜାତୀୟ ଗୌରବ ଦିବସ’ ପାଳିତ
ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ବଡ଼ରମା ପଞ୍ଚାୟତ ସ୍ଥିତ ଷଣ୍ଢପଥର ଆଶ୍ରମ ବିଦ୍ୟାଳୟ ପରିସରରେ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ତଥା ‘ଜନଜାତୀୟ ଗୌରବ ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ଶିକ୍ଷକ-ଅଭିଭାବକ ସଭା (Parents as Partners – PaP ମିଟିଂ) ମଧ୍ୟ ଅନୁଷ୍ଠିତ ହୋଇଥିଲା।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୀର୍ଥରାଜ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଜମନକିରା ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନେ ଭଗବାନ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଟେଲ ନିଜ ବକ୍ତବ୍ୟରେ ଦେଶ ସ୍ୱାଧୀନତା ସଂଗ୍ରାମରେ ବିର୍ସା ମୁଣ୍ଡାଙ୍କ ଅତୁଳନୀୟ ବଳିଦାନ, ଆଦିବାସୀ ସମାଜର ଉନ୍ନତି ପାଇଁ ତାଙ୍କର ଅବଦାନ ଏବଂ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଶିକ୍ଷକ ଓ ଅଭିଭାବକଙ୍କ ମିଳିତ ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଅଶୋକ କୁମାର ବାଘ, ଶିବ ପଧାନ ପ୍ରମୁଖ ମଞ୍ଚାସିନ ଥିଲେ।
ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟବୃନ୍ଦ, ଗ୍ରାମର ବୁଦ୍ଧିଜୀବୀ, ବହୁ ସଂଖ୍ୟାରେ ଅଭିଭାବକ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପରିଶେଷରେ ବିଦ୍ୟାଳୟ ପକ୍ଷରୁ ଉପସ୍ଥିତ ସମସ୍ତ ଅତିଥି ଓ ଅଭିଭାବକମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

