ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଓ ‘ଜନଜାତୀୟ ଗୌରବ ଦିବସ’ ପାଳିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ବଡ଼ରମା ପଞ୍ଚାୟତ ସ୍ଥିତ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ତଥା ‘ଜନଜାତୀୟ ଗୌରବ ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ଶିକ୍ଷକ-ଅଭିଭାବକ ସଭା (Parents as Partners – PaP ମିଟିଂ) ମଧ୍ୟ ଅନୁଷ୍ଠିତ ହୋଇଥିଲା।
କଲେଜ କର୍ତ୍ତୃପକ୍ଷ ତଥା ଅଧ୍ୟକ୍ଷା ପ୍ରିୟଙ୍କା ପ୍ରିୟଦର୍ଶିନୀ ପଣ୍ଡାଙ୍କ ସଭାପତିତ୍ୱ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟକ୍ଷା ଶ୍ରୀମତୀ ପଣ୍ଡା ଓ ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଭଗବାନ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ନିଜ ସଭାପତିତ୍ୱ ଅଭିଭାଷଣରେ ଅଧ୍ୟକ୍ଷା ଶ୍ରୀମତୀ ପଣ୍ଡା ଦେଶ ସ୍ୱାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କ ଅତୁଳନୀୟ ବଳିଦାନ, ଆଦିବାସୀ ସମାଜର ଉନ୍ନତି ପାଇଁ ତାଙ୍କର ଅବଦାନ ଏବଂ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଶିକ୍ଷକ ଓ ଅଭିଭାବକଙ୍କ ମିଳିତ ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ମଞ୍ଚାସୀନ ଥିବା ବେଳେ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟବୃନ୍ଦ, ଗ୍ରାମର ବୁଦ୍ଧିଜୀବୀ ଏବଂ ବହୁ ସଂଖ୍ୟାରେ ଅଭିଭାବକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପରିଶେଷରେ ବିଦ୍ୟାଳୟ ପକ୍ଷରୁ ଉପସ୍ଥିତ ସମସ୍ତ ଅଭିଭାବକ ଓ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

