ଟିକିଲିପଡ଼ା କନ୍ୟାଶ୍ରମରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଓ ‘ଅଭିଭାବକ ଆମ ଅଂଶୀଦାର’ କାର୍ଯ୍ୟକ୍ରମ ପାଳିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକିଲିପଡ଼ା କନ୍ୟାଶ୍ରମ ପରିସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତିର ନାୟକ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ (ଜନଜାତୀୟ ଗୌରବ ଦିବସ) ଏବଂ ‘ଅଭିଭାବକ ଆମ ଅଂଶୀଦାର’ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହ ଓ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଲଜିତା ଧଳଙ୍କ ଅଧ୍ୟକ୍ଷତାରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପସ୍ଥିତ ଅତିଥି ଓ ଶିକ୍ଷକ-ଶିକ୍ଷୟିତ୍ରୀବୃନ୍ଦ ଭଗବାନ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ଅତିଥିମାନେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ, ଦେଶମାତୃକା ପ୍ରତି ତାଙ୍କର ଅତୁଳନୀୟ ତ୍ୟାଗ, ବୀରତ୍ୱ ଏବଂ ଆଦିବାସୀ ସମାଜର ଅଧିକାର ଓ ସ୍ୱାଭିମାନ ପାଇଁ ତାଙ୍କର ସଂଗ୍ରାମ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରୀମାନେ ଦେଶ ଓ ଜାତିର ଗୌରବ ବଢ଼ାଇବାକୁ ଆହ୍ୱାନ ଦିଆଯାଇଥିଲା।
ଏହା ସହିତ ଅନୁଷ୍ଠିତ ‘ଅଭିଭାବକ ଆମ ଅଂଶୀଦାର’ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ଏବଂ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଅଭିଭାବକ ଓ ଶିକ୍ଷକମାନଙ୍କ ମିଳିତ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମୋହନ ଅହଦର, ଶିବ ଶଙ୍କର ଦାଶ, ନିରଞ୍ଜନ ସିଟ, ମଧୁସ୍ମିତା ଦାଶ, ପ୍ରିୟ ରଞ୍ଜନ ସାଥୁଆ, ଦୀପା ଗୁରୁ, ଅବିନାଶ ବାଘ, ଦେବାଶିଷ ପଟେଲ, କିଶୋର ଚନ୍ଦ୍ର ନାୟକ ଏବଂ ମାମିନା ସାହୁ ପ୍ରମୁଖ ସକ୍ରିୟ ସହଯୋଗ ଓ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟବୃନ୍ଦ, ବହୁ ସଂଖ୍ୟାରେ ଅଭିଭାବକ ତଥା ଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।


